ବିଶ୍ୱ ଜଳ ଦିବସ ଆଜି

ଭୁବନେଶ୍ୱର,୨୨/୦୩/୨୦୨୫ (ଓଡ଼ିଶା ସମାଚାର)- ବିଶ୍ୱ ୭୦ ପ୍ରତିଶତ ଜଳ ଦ୍ୱାରା ଆଚ୍ଛାଦିତ ହୋଇଥିଲେ ମଧ୍ୟ ଏହାର ପ୍ରାୟ ତିନି ପ୍ରତିଶତ ଜଳ ପାନୀୟ ଉପଯୋଗୀ । ସମଗ୍ର ବିଶ୍ୱ ଏହି ତିନି ପ୍ରତିଶତ ଜଳ ଉପରେ ବଂଚିଛି । ଜଳ ସମ୍ପଦ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଭାରତରେ ଗୋଟିଏ ବର୍ଷରେ ବ୍ୟବହୃତ ଜଳର ପରିମାଣ ୧,୧୨୧ ବିଲିୟନ ଘନ ମିଟର ବୋଲି ଆକଳନ କରାଯାଇଛି ।

୧.୪ ବିଲିୟନରୁ ଅଧିକ ଜନସଂଖ୍ୟା ସତ୍ୱେ ଭାରତରେ ବିଶ୍ୱର ମଧୁର ଜଳ ସମ୍ପଦର ମାତ୍ର ୪ ପ୍ରତିଶତ ରହିଛି । ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଭାରତରେ ଜଳ ସଙ୍କଟ କ୍ରମାଗତ ଭାବେ ଗଭୀର ହେବାରେ ଲାଗିଛି । ଅନେକ ରାଜ୍ୟ ଅଛି ଯାହାର ଭୂତଳ ଜଳ ହ୍ରାସର ଟପିଙ୍ଗ ପଏନ୍ଟ ଅତିକ୍ରମ କରିଛି । ତେବେ ପାଣିର ମହତ୍ୱକୁ ବୁଝିବା ଏବଂ ସ୍ୱଚ୍ଛ ପାଣି ଉପଲବ୍ଧ କରିବା ଉଦ୍ଧେଶ୍ୟରେ ପ୍ରତିବର୍ଷ ୨୨ ମାର୍ଚ୍ଚରେ ‘ବିଶ୍ୱ ଜଳ ଦିବସ ପାଳନ’ କରାଯାଏ ।

ବିଶ୍ୱ ଜଳ ଦିବସର ଉଦ୍ଧେଶ୍ୟ ହେଉଛି ବିଶ୍ୱର ସମସ୍ତ ଦେଶର ଲୋକଙ୍କୁ ବିଶୁଦ୍ଧ ଏବଂ ନିରାପଦ ଜଳ ଯୋଗାଇବା ସହିତ ଜଳ ସଂରକ୍ଷଣ ପ୍ରତି ଧ୍ୟାନ ଦେବା । ଜଳସମ୍ପଦର ସୁରିଚାଳନା ଦିଗରେ ଜାତିସଂଘର ପ୍ରୟାସ ପୂର୍ବକ ୧୯୯୨ ମସିହାରେ ଏହାର ପ୍ରସ୍ତାବ ଅନୁସାରେ ୧୯୯୩ ମସିହାରୁ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ହିସାବରେ ପାଳନ କରାଯାଇ ଆସୁଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଧେଶ୍ୟ ଜନସାଧାରଣଙ୍କୁ ଜଳସମସ୍ୟାର କାରଣ ସମ୍ପର୍କରେ ସଚେତନ କରିବା ଓ ଏହାର ସମାଧାନ ଦିଗରେ ସମସ୍ତଙ୍କୁ ଉତ୍ସାହିତ କରିବା । ସମସ୍ତେ ଅନୁଭବ କରନ୍ତୁ – ସମସ୍ୟାର ସମାଧାନ କେବଳ ବୈଜ୍ଞାନିକମାନଙ୍କର କାମ ନୁହେଁ, ବରଂ ଆମେ ସମସ୍ତେ ଚିନ୍ତା କରିବା ଉଚିତ । ଜଳସମସ୍ୟା ଜଣକର ନୁହେଁ, ବରଂ ଏହା ସମସ୍ତଙ୍କର ସମସ୍ୟା ।

Leave a Reply

Your email address will not be published. Required fields are marked *