ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାନୁଷ୍ଠାନ ନେଇ ବୈଠକ ଅନୁଷ୍ଠିତ
ପର୍ଯ୍ୟଟନ ଓ ପିକନିକ୍ ଋତୁ ଦୃଷ୍ଟିରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସଚେତନତା ସହ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର,୧୫/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶା ସରକାରଙ୍କ ପକ୍ଷରୁ ୨୦୨୫ ନଭେମ୍ବର ୧୬ରୁ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ସମଗ୍ରରାଜ୍ୟରେ “ଶୂନ୍ୟ ମୃତ୍ୟୁ ପକ୍ଷ”(ଜିରୋ ଫାଟାଲିଟି ଫୋର୍ଟନାଇଟ୍) ପାଳନ କରାଯିବ। ଏହି ଅଭିଯାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର କମାଇବାକୁ ଲକ୍ଷ୍ୟରଖି ଆୟୋଜନ କରାଯାଉଛି। ଗତ କିଛିବର୍ଷ ରେ ପାଳନ ହୋଇଥିବା ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନର ଉଲ୍ଲେଖନୀୟ ସଫଳତାକୁ ଦୃଷ୍ଟିରେ ରଖି ଏ ବର୍ଷ ୧୫ ଦିନ ଧରି ସ୍ୱତନ୍ତ୍ର ଅଭିଯାନ ମାଧ୍ୟରେ ଶୂନ୍ୟ ମୃତ୍ୟୁ ପକ୍ଷ ମାଧ୍ୟମରେ ବ୍ୟାପକ ସଚେତତନତା କାର୍ଯ୍ୟକ୍ରମ, ଏନଫୋର୍ସମେଣ୍ଟ( ଚଢଉ), ସଡକ ସୁରକ୍ଷା ଆଦି କାର୍ଯ୍ୟକ୍ରମ କରାଯିବାକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପଦକ୍ଷେପ ନିଆଯିବ ।
ପରିବହନ ବିଭାଗ ସହିତ ପୁଲିସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂପୃକ୍ତ ବିଭାଗ ତଥା ସଂସ୍ଥା ଯଥା- ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସଂପଦ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଜାତୀୟ ରାଜପଥ ଆଦି ଅଧିନରେ ଥିବା ସଡକ ନିର୍ମାଣକାରୀ କର୍ତ୍ତୃପକ୍ଷଙ୍କ ସହ ଶିକ୍ଷା ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ରାଜ୍ୟ ସଡକ ପରିବହନ ନିଗମ, କ୍ରୁଟ୍ ଆଦିର ମିଳିତ ପଦକ୍ଷେପରେ ଏହି ଅଭିଯାନକୁ ସଫଳ କରାଯିବ ।
ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ କାର୍ଯ୍ୟାନୁଷ୍ଠାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, କ୍ରାଇମ୍ ବ୍ରାଞ୍ଚ ଡିଜି ଶ୍ରୀ ବିନୟତୋଷ ମିଶ୍ର, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଭୁବନେଶ୍ୱର- କଟକ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଏଥି ସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।
ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ୨୦୨୩ ମସିହାରେ ବିଶ୍ୱରେ ସଡକ ଦୁର୍ଘଟଣାରେ ବର୍ଷ ୧୧.୯ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଭାରତରେ ୧.୭୨ ଲକ୍ଷ ଏବଂ ଓଡ଼ିଶାର ୫୭୩୯ ଜଣ ମୃତ୍ୟୁବରଣ କରିଛନ୍ତି । ସୂଚୀତ ବର୍ଷରେ ବିଶ୍ୱରେ ଦୈନିକ ୩୨୬୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ଦୈନିକ ୪୭୪ ଏବଂ ଓଡିଶାରେ ଦୈନିକ ୧୫ ଜଣ ମୃତ୍ୟୁ ବରଣ କରିଛନ୍ତି । ଏଥି ସହିତ ୨୦୨୫ ବର୍ଷରେ ବିଭିନ୍ନ କାରଣରୁ ସଡକ ଦୁର୍ଘଟଣାରେ ମୃତାହତ ସଂପର୍କିତ ପରିସଂଖ୍ୟାନ ଉପସ୍ଥାପନ କରାଯାଇଥିଲା । ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ଗୁରୁତର ସହ ନେଇ ମାନ୍ୟବର ଭାରତୟ ସର୍ବୋଚ୍ଚ ନ୍ୟାୟାଳୟ ସବୁ ରାଜ୍ୟକୁ ଏଥି ପ୍ରତି ଯଥେଷ୍ଟ କାର୍ଯ୍ୟାନୁଷ୍ଠାନ ନେବାକୁ ବରାବର ନିର୍ଦ୍ଦେଶ ଦେଇଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜିର ଅନୁଷ୍ଠିତ ବୈଠକରେ ଜିରୋ ଫାଟାଲିଟି ପକ୍ଷ ପାଳନ ନିମନ୍ତେ ବ୍ୟାପକ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଛି ।
ଟ୍ରାଫିକ୍ ନିୟମ ନମାନିବା, ହେଲମେଟ୍ ନ ପିନ୍ଧିବା , ନିଶା ସେବନ କରି ଗାଡି ଚଳାଇବା, ଅସାବଧାନତା, ଭୁଲ ରାସ୍ତାରେ ଗାଡି ଚାଳନା , ଦ୍ରୁତ ଗତିରେ ଗାଡି ଚାଳନା ଆଦି ଦୁର୍ଘଟଣାର ପ୍ରମୁଖ କାରଣ ହେଉଛି । ପାଳନ କରାଯିବାକୁ ଥିବା ଜିରୋ ଫାଟାଲିଟି ପକ୍ଷ ସମୟରେ ସଡ଼କ ସୁରକ୍ଷାର ୪ଟି ମୁଖ୍ୟ ଦିଗ -ରୋଡ୍ ଇଞ୍ଜିନିୟରିଂ, ଏନ୍ଫୋର୍ସମେଣ୍ଟ, ଶିକ୍ଷା ଏବଂ ଏମର୍ଜେନ୍ସି କେୟାର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ପରିବହନ ବିଭାଗ, ପୁଲିସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପରିବହନ ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଉଚ୍ଚ ଶିକ୍ଷା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସମ୍ମିଳିତ ପ୍ରୟାସରେ ଏହି ଅଭିଯାନକୁ ବ୍ୟାପକ କରାଯିବ ବୋଲି ଆକ୍ସନ ପ୍ଲାନ୍ ସଂପର୍କରେ ବ୍ୟାପକ ଆଲୋଚନା ହୋଇଥିଲା ।
ବିଭିନ୍ନ କାର୍ଯ୍ୟ ଯୋଜନା ସଂପର୍କରେ ସମୀକ୍ଷା କରି ଓ ପରାମର୍ଶ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଲେ ସେ ସଡକ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ଶୂନ୍ୟ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କାର୍ଯ୍ୟକ୍ରମ ଅନୁସାରେ ୧୫ ଦିନିଆ ପକ୍ଷ ମଧ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହ ଡିସେମ୍ବରରୁ ପ୍ରାୟ ମାର୍ଚ୍ଚ ପର୍ଯ୍ୟନ୍ତ ପର୍ଯ୍ୟଟନ ତଥା ପିକନିକ୍ ଋତୁ ପରିପ୍ରକ୍ଷୀରେ ଅଧିକ ଯାନ ବାହନ ଚଳାଚଳ ହେତୁ ଆମକୁ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକୁ ନିରନ୍ତରତା ଭିତ୍ତିରେ ଜାରି ରଖିବାକୁ ପଡ଼ିବ ବୋଲି ସେ କହିବା ସହିତ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।
ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ନିୟମିତ ଭାବେ ବୈଠକ କରି କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ମଧ୍ୟ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଥିବା ସ୍କୁଲ, କଲେଜ, ଡାକ୍ତରଖାନା ଏବଂ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍ ସମସ୍ୟାକୁ ଅନୁଧ୍ୟାନ କରିବା, ଚଲାପଥ, ରାସ୍ତା ପାର ବ୍ୟବସ୍ଥା(ଜେବ୍ରା କ୍ରସିଂ) ଆଦି ଯାଂଚ କରିବାକୁ ପରାମର୍ଶ ଦେଇଛନ୍ତି । ସଡକ ପରିଚାଳନାକୁ ଗୁରୁତ୍ୱ ଦେଇଛନ୍ତି । ଜାତୀୟ ରାଜପଥ ସମେତ ବିଭିନ୍ନ ସଡକରେ ପୋଲିସ ଓ ପରିବହନ ବିଭାଗ ଆଦି ସହଯୋଗରେ ମିଳିତ ପାଟ୍ରୋଲିଂ ବ୍ୟବସ୍ଥା, ବାରଂବାର ଦୁର୍ଘଟଣା ହେଉଥିବା ସ୍ଥାନ(ବ୍ଲାକ୍ ସ୍ପଟ)ର ଚିହ୍ନଟ କରଣ ଓ ତାହାର ପ୍ରତିକାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ଯାନବାହନ ଚଳାଚଳରେ ଆଇନ୍ ଏବଂ ଟ୍ରାଫିକ୍ ଉଲ୍ଳଘନ କରୁଥିବା ବ୍ୟକ୍ତିଙ୍କ ପାଇଁ ବିଶେଷ ଚଢଉ ଏନ୍ଫୋର୍ସମେଣ୍ଟ ଅଭିଯାନ ଚାଲିବ। ଦ୍ରୁତ ଗତି, ମଦ୍ୟପାନ କରି ଡ୍ରାଇଭିଂ, ଟ୍ରିପଲ୍ ରାଇଡିଂ, ଅସୁରକ୍ଷିତ ଯାନ ଇତ୍ୟାଦି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗୁ ହେବ। ଦିଶା ଏବଂ ଇ-ଡିଟେକ୍ସନ ଦ୍ୱାରା ନିୟମ ଭଙ୍ଗ ଘଟଣାରେ ଜରିମାନା କରାଯିବ। ସୂଚନା ଯୋଗ୍ୟରେ ରାଜ୍ୟର ୮,୦୦୦ କି.ମି. ରୋଡ଼ର ଅଡିଟ୍ ସମ୍ପୂର୍ଣ୍ଣ ହୋଇଛି ଏବଂ ୩୦୦ଟି ବ୍ଲାକ ସ୍ପଟ୍ ଚିହ୍ନଟ କରାଯାଇ ସଂପୃକ୍ତ ରାସ୍ତାର କର୍ତ୍ତୃପକ୍ଷଙ୍କୁ ଏହାର ପ୍ରତିକାରାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଦିଆଯାଇଛି । 
ଜନସମ୍ପର୍କ ଓ ନାଗରିକ ଯୋଗଦାନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସ୍ୱରୂପ ‘ସଡ଼କ ସୁରକ୍ଷା ମଞ୍ଚ’ ଆୟୋଜନ ଜରିଆରେ ସଚେତନତା କାର୍ଯ୍ୟକ୍ରମ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ସଡ଼କ ସୁରକ୍ଷା ଶପଥ ଗ୍ରହଣ କରିବାର ଯୋଜନା ରହିଛି।ଏଥି ସହିତ ସ୍ୱୟଂ ସହାୟକ ଗୋଷ୍ଠୀ, ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍, ସିନେମା ହଲ୍, ବିଭିନ୍ନ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେବ। ଜୁନିୟର ରକ୍ଷକଙ୍କ ଦ୍ୱାରା ସ୍କୁଲ୍ ନିକଟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ରୋଡ୍ ସେଫ୍ଟି ନାଟକ ପରିବେଷଣ କରାଯିବା ସଂପର୍କରେ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ରହିଛି ।
ସଡ଼କରେ ପଶୁମାନଙ୍କ ଅବାଧ ଚଳାଚଳ ଯୋଗୁଁ ସଡକ ଦୁର୍ଘଟଣା ଘଟୁଛି । ଏଥିରେ ନିୟନ୍ତ୍ରଣ ଆଣିବା ପାଇଁ ଗୋଶାଳା ନିର୍ମାଣ, ପଶୁଙ୍କ ଶିଙ୍ଘରେ ରିଫ୍ଲେକ୍ଟିଭ୍ ଟେପ୍ ଲଗାଇବା ଓ ପଶୁ ହେଲ୍ପଲାଇନ୍ ୧୯୬୨ରେ ଫୋନ୍ କରି ସହାୟତା ନେବା ଆଦି ବିଶେଷ ପଦକ୍ଷେପ ଗ୍ରହଣ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।ଓଡ଼ିଶା ସରକାର ଜନସାଧାରଣ ଓ ସହଭାଗୀ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ନାଗରିକ ସମାଜ ଆଦି ସମସ୍ତଙ୍କ ସହଭାଗିତାରେ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ନିମନ୍ତେ ସମସ୍ତ ପ୍ରୟାସ ଜାରି ରଖିବା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
-0-
ପଠାଣିରାଉତ, ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
