ଭୁବନେଶ୍ୱର,୨୦/୦୩/୨୦୨୫ (ଓଡିଶା ସମାଚାର) – କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରୋଜକ୍ଟ ରେ କାର୍ୟ୍ୟକରୁଥିବା ଓଡିଶା ର ୪୨୦୦ଠିକା କର୍ମଚାରୀ ସେମାନଙ୍କ ଚାକିରୀକୁ ସ୍ଥାୟୀ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଲୋୟର ପିଏମଜି ଛକରେ ଖରା ତାତିରେ ସେମାନେ ଦାବି ହାସଲ ପାଇଁ ଏଗାର ଦିନ ହେବ ବସିଛନ୍ତି । କୋଡିଏ ବର୍ଷ ହେବ କାର୍ୟ୍ୟ କାରି ହେଉଥିବା ଏହି କେନ୍ଦ୍ରୀୟ ପ୍ରୋଜେକ୍ଟରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଯୁକ୍ତି ପ୍ରଣାଳୀରେ ଚୟନ କରି ନିଯୁକ୍ତି ଦେଇଥିଲା ।
ଜାତୀୟ ସ୍ୱାସ୍ଥ୍ୟ ମିଶନରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଏହା ମଧ୍ୟରେ ସରକାରୀ ଚାକିରୀ କରିବା ବୟସ ଅତିକ୍ରାନ୍ତ ହୋଇଗଲାଣି । ହେଲେ ସରକାର ସମସ୍ତ ବିଭାଗରେ ନିୟୋଜିତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିସାରିଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ବିଭାଗରେ କାର୍ୟ୍ୟ କରୁଥିବା ଓଡିଶା ରାଜ୍ୟର ୪୨୦୦ଉଚ୍ଚ ଶିକ୍ଷିତ କର୍ମଚାରୀଙ୍କୁ ସ୍ଥାୟୀ ନ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗକୁ ଲୋକାଭିମୁଖୀ କରିବା, ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବା, ରାଜ୍ୟସ୍ୱାସ୍ଥ୍ୟ ବିଭାଗର ଅନେକ ଅଭିଯାନ ଯଥା ମାତୃ ମୃତ୍ୟୁ ହାର କମାଇବା, ଶିଶୁ ମୃତ୍ୟୁ ହାର କମାଇବା, ଅଣସଂକ୍ରାମକରୋଗ ଚିହ୍ନଟ କାର୍ୟ୍ୟକ୍ରମ, ମେଲେରିଆ ନିରାକରଣ, ଟିବି ମୁକ୍ତ ଭାରତ ଅଭିଯାନ, ପୋଲିଓ ମୁକ୍ତ ଭାରତ, କୁଷ୍ଠ ନିରାକରଣ, ଥାଲା ସେମିଆ ଚିହ୍ନଟି କାରଣ ଓ କୋଭିଡ ମହାମାରୀ ପରିଚାଳନା ଭଳି ଅଭିଯାନକୁ ସଫଳ କରାଇବାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ଅବଦାନ ସବୁଠାରୁ ଆଗରେ ।
ଏସବୁ ସଫଳତା ପାଇଁ ଭାରତ ବର୍ଷ ରେ ଓଡ଼ିଶା ବହୁବାର ପୁରସ୍କୃତ ହୋଇଛି । କୋଡିଏ ବର୍ଷ ପ୍ରୋଜେକ୍ଟ କାର୍ୟ୍ୟକାରୀ ହେବା ପରେ ସ୍ୱାସ୍ଥ୍ୟ ବିଭାଗରେ ଉଲ୍ଲେଖନୀୟ ପରିବର୍ତନ ହୋଇଛି ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘର ରାଜ୍ୟ ସଭାପତି ଅନିରୁଦ୍ଧ ପଣ୍ଡା ସୂଚନା ଦେଇଛନ୍ତି । ହେଲେ ଯାହାଙ୍କ ଦିନ ରାତି ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟ ବିଭାଗ ଏତେବାଟ ଆଗକୁ ଆସିପାରିଛି, ସେହି ଉଚ୍ଚ ଶିକ୍ଷିତ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରିକଙ୍କ ଜୀବନଜୀବିକା ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଣଦେଖା କରିଛି ବୋଲି ସଭାପତି ଅନିରୁଦ୍ଧ ପଣ୍ଡା କହିଛନ୍ତି ।
ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ମନାଇବା ପାଇଁ ଅନ୍ୟମାନେ ଗ୍ରାମକୁ ଛୁଟିରେ ଆସୁଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ମାନେ ଗ୍ରାମରେ ଏସବୁକୁ ପାଳନ ନକରି ଭୁବନେଶ୍ୱର ଲୋୟର ପିଏମଜି ଛକରେ ଖରା ତାତିରେ ବସି ନିଜ ଜୀବିକା ପାଇଁ ଆନ୍ଦୋଳନ କରୁଛନ୍ତି ।
ରାଜ୍ୟ ସରକାର ସେମାନଙ୍କ ଦାବିପ୍ରତି ସଦୟ ହୋଇ ସେମାନଙ୍କ ଚାକିରୀକୁ ସ୍ଥାୟୀ କରିବା ପାଇଁ ପଦକ୍ଷେପ ନେବେବୋଲି ରାଜ୍ୟ ସଂଘର କର୍ମକର୍ତ୍ତା ମାନେ ଅସାବ୍ୟକ୍ତ କରିଛନ୍ତି । ଏହି ଦାବି ପୂରଣ ନହେବା ଯାଏ ସେମାନେ ଆନ୍ଦୋଳନ ଚାଲୁ ରଖିବେ ଓ ଆୟୁଷ୍ମାନ ଯୋଜନାରେ ବଣ୍ଟନ ହେବାପାଇଁ ଥିବା ସ୍ୱାସ୍ଥ୍ୟ କାର୍ଡ ଲୋକଙ୍କ ପାଖରେ ନପହଂଚି ଖୋଳଭିତରେ ରହିଯିବ ବୋଲି ବୋଲି ରାଜ୍ୟ ସଭାପତି ଅନିରୁଦ୍ଧ ପଣ୍ଡା ଚେତାବନୀ ଦେଇଛନ୍ତି ।