ଜଗତସିଂହପୁର, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)- ସାରା ପୃଥିବୀରେ ବର୍ଷ କୁ ପ୍ରାୟ ୧ କୋଟି ଯକ୍ଷ୍ମା ରୋଗୀ ବାହାରିଥାନ୍ତି, ସେଥିମଧ୍ୟରୁ ପ୍ରାୟ ୨୬ ଲକ୍ଷରୁ ଉର୍ଦ୍ଧ୍ବ ରୋଗୀ କେବଳ ଭାରତରୁ ବାହାରିଥାନ୍ତି । ସେଥି ପାଇଁ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ କରିବାକୁ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାସ୍ତରରେଏକ ଶତ ଦିବସିୟ ଅଭିଯାନ କୁ ଆଜି ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଆଜି ଶୁଭାରମ୍ଭ କରିଛନ୍ତି।ଏହି ଅଭିଯାନ ର ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ଯକ୍ଷ୍ମା ରୋଗୀ ଚିହ୍ନଟ କରିବା, ମୃତ୍ୟୁ ହାର କମାଇବା ଏବଂ ନୂଆ ରୋଗୀ ସଂଖ୍ୟା କୁ ରୋକିବା ।୭ ଡିସେମ୍ବର ୨୦୨୪ ରୁ ୧୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏହି ଉପଲକ୍ଷେ ଦୁଇଟି ସଚେତନତା ରଥ କୁ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ,ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ରଘୁନାଥ ନାୟକ ତଥା ସ୍ଵାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
‘ଯକ୍ଷ୍ମା ହାରିବ, ଦେଶ ଜିତିବ’ ସ୍ଲୋଗାନ ସହ ଏହି ସଘନ ବା ନିରନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରୁ ଯକ୍ଷ୍ମାର ଲକ୍ଷଣ ଥିବା ବ୍ୟକ୍ତି ଓ ତତ ସହିତ ବିପଦ ସଙ୍କୁଳ ଗୋଷ୍ଠି ଯଥା ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଅପପୃଷ୍ଟିର ଶିକାର ବ୍ୟକ୍ତି, ମଧୁମେହ ରୋଗୀ, ଏଚଇଭି ରେ ପୀଡ଼ିତ ବ୍ୟକ୍ତି, ନିଶା ବା ମଦ୍ୟପାନ କରୁଥିବା ବ୍ୟକ୍ତି ଓ ଯକ୍ଷ୍ମା ରୋଗୀର ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି, ଯେଉଁମାନଙ୍କର ଯକ୍ଷ୍ମା ହେବାର ସମ୍ଭାବନା ଅଧିକ ଆଶଙ୍କା ଥାଏ , ସେମାନଙ୍କର ରୋଗ ଚିହ୍ନଟ ଓ ଚିକିତ୍ସା କରିବା ଏହି ଅଭିଯାନ ର ଉଦେଶ୍ୟ । ଏହି ସେବା ଜିଲ୍ଲାର ସମସ୍ତ ବ୍ଲକରେ ମାଗଣାରେ ଉପଲବ୍ଧ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଚିକିତ୍ସା ଅଧିକାରୀ, କର୍ମକର୍ତ୍ତା , ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।