ଅଭିଯୁକ୍ତ ଅଧ୍ୟାପକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା କଂଗ୍ରେସ

                                                  ପଟ୍ଟାମୁଣ୍ଡାଇ ନାବାଳିକା ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ

କେନ୍ଦ୍ରାପଡ଼ା, ୧୯/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନାବାଳିକା ଛାତ୍ରୀ ଅତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ପଟ୍ଟାମୁଣ୍ଡାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଅଧ୍ୟୟନରତ ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ ରାଜ୍ୟ କଂଗ୍ରେସର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରାପଡାକୁ ଆସି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବଡପଡା ଗ୍ରାମପଂଚାୟତର ମୂଳଗାଇଁ ଗ୍ରାମକୁ ଯାଇ ସେଠାରେ ମୃତ ନାବାଳିକା ଛାତ୍ରୀର ପରିବାରକୁ ଭେଟିଥିଲେ ।

କଂଗ୍ରେସ ପକ୍ଷରୁ କଜଳାସ୍ଥିତ ଜିଲା କଂଗ୍ରେସ ଭବନରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ତଥ୍ୟ ଅନୁସନ୍ଧାନକାରୀ ଦଳର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ କହିଥିଲେ ଯେ ସେମାନେ ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଥିଲେ । ଛାତ୍ରୀ ଜଣଙ୍କ ପରୀକ୍ଷା ଦେବାକୁ ପଟ୍ଟାମୁଣ୍ଡାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇଥିବା ବେଳେ ସେଠାରେ ଜନୈକ ଅଧ୍ୟାପକ କପି ଚେକିଂ କରିବା ବାହାନାରେ ଅନ୍ୟ ତିନିଜଣ ଅଧ୍ୟାପକଙ୍କ ସହ ମିଶି ତାଙ୍କ ଗୋପନୀୟ ଅଙ୍ଗପ୍ରତ୍ୟଙ୍ଗକୁ ସ୍ପର୍ଶ କରିଥିଲେ । ଫଳରେ ଛାତ୍ରୀ ଜଣଙ୍କ ଆଉ ପରୀକ୍ଷା ନଦେଇ କାନ୍ଦି କାନ୍ଦି ଘରକୁ ଫେରି ଯାଇଥିଲେ । ଘରେ ପହଂଚିବା ପରେ ନାବାଳିକା ଜଣଙ୍କ କାନ୍ଦୁଥିବା ଦେଖି ତାଙ୍କ ମା’ଘଟଣା ସମ୍ପର୍କରେ ପଚାରିବାରେ ସେ ସମସ୍ତ ବିଷୟ ମା’ଙ୍କୁ କହିଥିଲେ । ଏହାପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ନାବାଳିକା ଛାତ୍ରୀ ଜଣଙ୍କ ।

ଏହି ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଆତ୍ମହତ୍ୟା କରିଥିବା ନାବାଳିକା ଛାତ୍ରୀର ମା’ ଯେଉଁ ଅଭିଯୋଗ କରିଛନ୍ତି ସେଥିରେ ତାଙ୍କ ଝିଅକୁ ଆତ୍ମହତ୍ୟା କରିବା ପାଇଁ ଜଣେ ଅଧ୍ୟାପକଙ୍କ ସମ୍ପର୍କରେ କିଛି ସମ୍ବେଦନଶୀଳ ସୂଚନା ଦେଇଥିଲେ । କିନ୍ତୁ ପୋଲିସ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିନଥିବା କଂଗ୍ରେସ ତଥ୍ୟ ଅନୁସନ୍ଧାନକାରୀ ଦଳର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଏଥିସହିତ ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ତଥ୍ୟ ଅନୁସନ୍ଧାନକାରୀ ଦଳ ଆରକ୍ଷୀ ଅଧୀକ୍ଷକ ଓ ଜିଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ ଅଭିଯୁକ୍ତ ଅଧ୍ୟାପକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏହି ତଥ୍ୟ ଅନୁସନ୍ଧାନକାରୀ ଦଳରେ ପୂର୍ବତନ ବିଧାୟକ ସୁଜିତ ପାଢୀ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଅଶୋକ ପ୍ରତିହାରୀ, ଜିଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ରମାକାନ୍ତ ଦାଶ, ମଳୟ ଦାସ, ଶ୍ରୀବତ୍ସ ମଲ୍ଲିକ, ଉଦକର ଜେନା, ଅରୁଣ ସାମଲ, ପ୍ରକାଶ ମହାନ୍ତି, ସର୍ବେଶ୍ୱର ସେଠୀ, ରଞ୍ଜନ ବେହେରା, ମାନସ ମଲ୍ଲିକ, ମହମ୍ମଦ ଆକବର ଅଲ୍ଲୀ, ରାକେଶ ରାଉଳ, ପ୍ରଶାନ୍ତ ରାଉତ, ପ୍ରାକ୍ତନ ୟୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଅଶ୍ୱିନୀ ପାତ୍ର, ହରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *