ଚୌଦ୍ୱାର -କଟକ ବିଧାନସଭା କ୍ଷେତ୍ର ପାଇଁ ବିଜେଡ଼ିର ସମନ୍ୱୟ କମିଟି ଗଠନ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ମୁଖ୍ୟ ସଂଯୋଜକ

କଟକ ସଦର ୦୩/୦୮/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଚୌଦ୍ୱାର -କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟକ ବାପପୁଅ ଓ ପତ୍ନୀ ଗତ ୨୪ ବର୍ଷ ମଧ୍ୟରେ ବିଜେଡ଼ି ରୁ ସମସ୍ତ ସୁବିଧା ସୁଯୋଗ ହାତେଇ ଥିଲେ। ହେଲେ ସାଧାରଣ ନିର୍ବାଚନରେ ଦଳ କ୍ଷମତାରୁ ଯିବା ପରେ ସେମାନଙ୍କୁ ଦଳ ଭଲ ଲାଗିଲା ନାହିଁ। ଯେଉଁଥିପାଇଁ ବାପା ପୂର୍ବତନ ବିଧାୟକ ବିଜେଡ଼ି ଛାଡି ବିଜେପିକୁ ଚାଲିଯିବା ଏଵଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକ ପୁଅ ଦଳରୁ ନିଲମ୍ବିତ ହେଵା ପରଠାରୁ ନିର୍ବାଚନ ମଣ୍ଡଳୀରେ ନେତୃତ୍ଵ ସଙ୍କଟ ଦେଖା ଯାଇଥିଲା।

ଏହି ପରିପ୍ରେକ୍ଷୀରେ ବିଜେଡ଼ି ଚୌଦ୍ୱାର -କଟକ ନିର୍ବାଚନମଣ୍ଡଳୀ ପାଇଁ ନୂଆ ରଣନୀତି ପ୍ରୟୋଗ କରିଛି। କୌଣସି ନିର୍ଦ୍ଦିଷ୍ଟ ନେତାଙ୍କୁ ସଂଗଠନ ଦାୟିତ୍ଵ ନଦେଇ ଦଳୀୟ ଶୃଙ୍ଖଳା ରକ୍ଷା କରିବାକୁ ୧୧ ଜଣିଆ ଜୁମ୍ଵୋ ସମନ୍ୱୟ କମିଟି ଗଠନ କରିଛି। ଏଥିରେ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ମୁଖ୍ୟ ସଂଯୋଜକ ରହିଥିବା ବେଳେ ବରିଷ୍ଠ ବିଜେଡି ନେତା ତଥା କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ଜୟଦେବ ଜେନା,ତାପସ ମହାନ୍ତି, ଚୌଦ୍ୱାର ପୌରପାଳିକା ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୂର୍ବତନ ଅଧ୍ୟକ୍ଷ ପ୍ରେମଚାନ୍ଦ ନାୟକ, ପୂର୍ବତନ ଉପାଧ୍ୟକ୍ଷ ଅଜୟ ବେହେରା, ଟାଙ୍ଗୀ- ଚୌଦ୍ୱାର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ,ଚିରଞ୍ଜୟ ସାହୁ,ନିଶିତ କରଣ, ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ ଙ୍କୁ ସାମିଲ କରାଯାଇଛି।

ତେବେ ଦଳର ସଂଗଠନ କୁ ସୁଦୃଢ କରିବାକୁ ଆବଶ୍ୟକ ସ୍ଥଳେ ଆହୁରି ଅନେକ ନେତାଙ୍କୁ କମିଟିରେ ଆମନ୍ତ୍ରିତ ସଦସ୍ୟ ଭାବେ ମୁଖ୍ୟ ସଂଯୋଜକ ତଥା ଜିଲ୍ଲା ସଭାପତି ନେଇ ପାରିବେ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରୁ ଜଣାପଡିଛି। ତେବେ ଆଗକୁ ବାପପୁଅ ଙ୍କ ନେତୃତ୍ବ ଆଗରେ ଏହି କମିଟିର ରୂପରେଖ କଣ ହେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *