ନିଯୁକ୍ତି ପର୍ବ : ରାଜ୍ୟ ମେଡିକାଲ ସେବାରେ ଯୋଗଦେଲେ ଆଉ ୨ ହଜାର ୪୭୩ ନୂଆ ଡାକ୍ତର

୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର

ଭୁବନେଶ୍ୱର, ୨୮/୧୨/୨୦୨୩ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଶା ରୂପାନ୍ତରଣରେ ସ୍ବାସ୍ଥ୍ୟସେବା ଏକ ପ୍ରମୁଖ କ୍ଷେତ୍ର। ଓଡ଼ିଶା ଲୋକଙ୍କ ଟଙ୍କାକୁ ଦରମା ଆକାରରେ ଖର୍ଚ୍ଚ କରାଯାଉଛି। ଆପଣଙ୍କୁ ସେମାନଙ୍କ ସେବା କରିବାକୁ ପଡ଼ିବ। ପ୍ରତ୍ୟେକ ରୋଗୀଙ୍କୁ ସକରାତ୍ମକ ମନୋଭାବରେ ଚିକିତ୍ସା କରିବା ଆପଣଙ୍କ ଦାୟିତ୍ବ। ଆଜି ଆଉ ୨ ହଜାର ୪୭୩ ଡାକ୍ତରଙ୍କୁ ନିଯୁକ୍ତି ଦେଇ ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିରେ ୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ବାରା ରାଜ୍ୟର ସ୍ବାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହୋଇଛି। ରାଜ୍ୟ ସରକାର ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି। ରୂପାନ୍ତରଣ ପ୍ରତ୍ୟେକ ଲୋକଙ୍କୁ ନୂଆ ସ୍ତରକୁ ନେବା ପାଇଁ କାମ କରାଯାଉଛି। ୫ଟି ଉପକ୍ରମରେ ସ୍ବାସ୍ଥ୍ୟକ୍ଷେତ୍ରକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର।

ପ୍ରତିଟି ଜୀବନ ମୂଲ୍ୟବାନ। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ନେଇ କାମ କରିବାକୁ ନବ ନିଯୁକ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜିର ନିଯୁକ୍ତିକୁ ମିଶାଇ ରାଜ୍ୟରେ ଏପର୍ୟ୍ୟନ୍ତ ୩ ହଜାର ୬୦୦ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆସରିଲାଣି। ଗତ ନଭେମ୍ବରରେ ପ୍ରାୟ ୪ ହଜାର ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ନବ ନିଯୁକ୍ତ ଡାକ୍ତରଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଭିଜନରେ ଡାକ୍ତରମାନେ ଅଂଶୀଦାର ହେବାକୁ ଆହ୍ବାନ ଦେଇଥିବା ବେଳେ, ଗ୍ରାମୀଣ ଲୋକଙ୍କ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେବାକୁ ୫ଟି ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ କହିଛନ୍ତି ଯେ ଆମେ ସର୍ବଦା ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆଗ୍ରହୀ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଆମେ ଜାତୀୟ ସ୍ତରରେ ପ୍ରମୁଖ ମାଇଲଖୁଣ୍ଟ ସୃଷ୍ଟି କରି IMR ଏବଂ MMR ରେ ଉଲ୍ଲେଖନୀୟ ହ୍ରାସ କରିଛୁ। ଦୁଇଜଣ ନୂତନ ନିଯୁକ୍ତି ପ୍ରାପ୍ତ ଡାକ୍ତର ଅନମୋଲ ମହାପାତ୍ର ଏବଂ ଡାକ୍ତର ଅଜିତ ରଥ କହିଛନ୍ତି ଯେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଏବଂ ଦ୍ରୁତ ଗତିରେ ଆମ ସମସ୍ତଙ୍କ ପାଇଁ ହସ ଆଣିଛି। ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *