ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଶୋକ ବାର୍ତ୍ତା

ଭୁବନେଶ୍ୱର,୧୭/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକ ବାର୍ତ୍ତାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, “ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ଜଣେ ସୁଦକ୍ଷ ସଂଗଠକ ଓ ଅଭିଜ୍ଞ ରାଜନେତା ଭାବେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ପରିଚିତ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ  ସେ ସଡ଼କ ପରିବହନ ଓ କୃଷି ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ। ଜଣେ ନୀତିନିଷ୍ଠ ଜନ ପ୍ରତିନିଧି ଭାବରେ ସ୍ବର୍ଗତ ଡ଼କ୍ଟର ପ୍ରଧାନ ଆମ ଦେଶ ଓ ରାଜ୍ୟ ଓଡ଼ିଶାର ପ୍ରଗତି ପାଇଁ ଅନେକ ଜନାଭିମୁଖୀ କାର୍ଯ୍ୟରେ ନିଜର ଯୋଗଦାନ ଦେଇଥିଲେ।

ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ମୁଁ ଅମର ଆତ୍ମା ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗ ପ୍ରତି ମୋର ସମବେଦନା ଜ୍ଞାପନ କରୁଛି”, ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

-0-

ଅମ୍ଲାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *