ଭୁବନେଶ୍ୱର,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ଗ୍ରାହକ ସାଜି ଶନିବାର ଦିନ ଦୁଇ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀଙ୍କୁ ମାଡି ବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ ଟିମ୍ । ଚୋରା ବନ୍ଧୁକ ଡିଲ୍ ବେଳେ ପୁଲିସ ସାଦା ପୋଷାକରେ ଯାଇ ଦୁହିଁଙ୍କୁ କାବୁ କରିବାରେ ସଫଳ ହୋଇଛି । ଦୁହିଁଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ଗୋଟିଏ କାରବାଇନ୍, ୫ଟି ମାଉଜର, ୯ଟି ଜୀବନ୍ତ ଗୁଳି ସମେତ ୨ଟି ମୋବାଇଲ୍ ଜବତ ହୋଇଛି ।
ଗିରଫ ଦୁଇ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ହେଲେ ବିହାର ଖାଗରିଆ ଜିଲା ପସରାହା ଥାନା ଅଂଚଳର ଦିବ୍ୟାଂଶୁ କୁମାର(୨୬) ଓ ଚନ୍ଦନ କୁମାର(୨୬) । ଦୁହିଁଙ୍କ ନାମରେ ବିହାର ସମେତ ୫ଟି ରାଜ୍ୟରେ ବନ୍ଧୁକ ଚୋରା ଚାଲାଣ ଭଳି ସଂଗୀନ ମାମଲା ରହିଛି । ଏହି ଗ୍ୟାଙ୍ଗରେ ଦୁଇ ବନ୍ଧୁକ ବେପାରୀଙ୍କ ସମେତ ଅନ୍ୟାନ୍ୟ ଅପରାଧୀଙ୍କ ଲିଙ୍କ୍ ରହିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି । ପୂର୍ବରୁ ସେ ବନ୍ଧୁକ କାରବାର କରିବା ନେଇ ଭୁବନେଶ୍ୱର ଆସିଥିଲେ । ଆଉ ବନ୍ଧୁକ ବେପାରୀମାନେ ବନ୍ଧୁକ ଧରି ଭୁବନେଶ୍ୱର ଆସିବା ପରେ କ୍ରାଇମ୍ ୟୁନିଟ୍ ୨ ଆନ୍ତଃରାଜ୍ୟ ବେପାରୀଙ୍କୁ ବନ୍ଦୁକ ସହ ଧରିବାରେ ସଫଳ ହୋଇଛି ।ଦରକାର ପଡିଲେ ଦୁଇ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀଙ୍କୁ ରିମାଣ୍ଡରେ ନେବ ସ୍ପେଶାଲ କ୍ରାଇମ ୟୁନିଟ୍ ।
ସୂଚନା ଥାଉକି, କଳାବଜାରୀ ମୂଲ୍ୟ ଅନୁସାରେ ଗୋଟିଏ କାରବାଇନ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ହେବ । ଡିସିପିି (ଏସସିୟୁ) ଅନୁପ କାନୁନଗୋ ନିଜେ ବନ୍ଧୁକ ବେପାରୀକୁ ଗ୍ରାହକ ସାଜି ଫୋନ କରିଥିଲେ । ଗୋଟିଏ କାରବାଇନ ବନ୍ଧୁକ କିଣିବା ପାଇଁ ୫ ଲକ୍ଷ ଟଙ୍କା ଦେବେ ବୋଲି ଡିଲ କରିଥିଲେ । ଏହି ପ୍ରଲୋଭନରେ ପଡ଼ି ୨ ବନ୍ଧୁକ ବେପାରୀ ଖାରବେଳନଗର ୟୁନିଟ-୩ ଅଂଚଳକୁ ଯାଇଥିଲେ । ସେଠାରୁ ପୁଲିସ ୨ ବେପାରୀଙ୍କୁ କାବୁ କରିଥିଲା । ସେମାନେ ବିହାର ମୁେଁଙ୍ଗରରୁ ବନ୍ଧୁକ ଆଣି ବେପାର କରୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।
