ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର  ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶ୍ରୀ ରବିନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନଙ୍କ  ଶୋକ

ଭୁବନେଶ୍ୱର,୧୭/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଗଭୀର  ଶୋକ ପ୍ରକାଶ କରିଛନ୍ତି ।

ଶୋକ ବାର୍ତ୍ତାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି  ଯେ, ସ୍ୱର୍ଗତ ପ୍ରଧାନ ଜଣେ ନୀତିନିଷ୍ଠ ଜନପ୍ରତିନିଧି, ସୁଦକ୍ଷ ସଂଗଠକ ଓ ଅଭିଜ୍ଞ ନୀତିନିର୍ଦ୍ଧାରକ  ଥିଲେ । କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ସେ ଯେଉଁ  ଦକ୍ଷତା ଓ ସଂକଳ୍ପର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ,  ସେଥିପାଇଁ  ସମଗ୍ର ଦେଶ ଓ ଓଡ଼ିଶା ବିକାଶର ପ୍ରମୁଖ ବିନ୍ଧାଣି ରୂପେ ତାଙ୍କ ଯୋଗଦାନ ଚିର ସ୍ମରଣୀୟ । ଓଡ଼ିଶାର ତୃଣମୂଳ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ସଙ୍ଗଠନକୁ ସୁଦୃଢ କରିବାରେ ସ୍ୱର୍ଗତ ପ୍ରଧାନଙ୍କର ବିଶେଷ ଭୂମିକା ରହିଥିଲା ।

ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପରି ଜଣେ ଉତ୍ତୁଙ୍ଗ ଜନନେତାଙ୍କ ଦେହାବସାନ ସମଗ୍ର ଦେଶ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରିବାସହ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ, ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ସୁପୁତ୍ର ତଥା ମାନ୍ୟବର  କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି l  ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ଅମରଆତ୍ମାଙ୍କ  ସଦ୍‌ଗତି କାମନା କରିବାସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଛନ୍ତି ।

ଓଁ ଶାନ୍ତି

Leave a Reply

Your email address will not be published. Required fields are marked *