ତାରିଣୀ ଏଫସିକୁ ହରାଇ ଓଡ଼ିଶା ପୋଲିସ୍ ଫାଇନାଲରେ
ଭୁବନେଶ୍ୱର,୨୯/୧୦/୨୦୨୫ (ଓଡ଼ିଶା ସମାଚାର)- ସିଟି କ୍ଲବ, ନୟାପଲ୍ଲୀ ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ପଡ଼ିଆରେ ଚାଲିଥିବା ତୃତୀୟ ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ ବୁଧବାର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ରେ ତାରିଣୀ ଏଫସି କେନ୍ଦୁଝରକୁ ଟ୍ରାଏବ୍ରେକର ୩-୨ ଗୋଲ୍ ରେ ପରାସ୍ତ କରି ଓଡ଼ିଶା ପୋଲିସ୍ କଟକ ଫାଇନାଲକୁ ଉନ୍ନୀତ ହୋଇଛି ।
ଓଡ଼ିଶା ପୋଲିସ୍ କଟକର ଯଶୋଦା ମୁଣ୍ଡା, ସତ୍ୟବତୀ ଖାଡ଼ିଆ, ସସ୍ମିତା ତାନ୍ତି ଗୋଟିଏ ଲେଖାଏଁ ଗୋଲ୍ ପେନଲିଟ୍ ସୁଟ୍ ଆଉଟ୍ ରେ ଦେଇଥିବା ବେଳେ ତାରିଣୀ ଏଫସି କେନ୍ଦୁଝରର ପୂର୍ଣ୍ଣିମା ମୁଣ୍ଡା ଓ ଅର୍ଚ୍ଚିତା ରାଉତ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ପ୍ରଥମ ସେମି ଫାଇନାଲ ମ୍ୟାଚ ରେ ଓଡ଼ିଶା ପୋଲିସ୍ କଟକର ଜର୍ସି ନଂ-୨୧ ଗୋଲକିପର ମଞ୍ଜୁ ଗଞ୍ଜୁଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଥିଲା । ସୁଜିତ କୁମାର ପାତ୍ର, ଆଲୋକ ଦେହୁରୀ, ଶିବ ପ୍ରସାଦ ସମାନ୍ତରାୟ, ଆରତୀ ମହାନ୍ତି ମ୍ୟାଚ୍ ପରିଚାଳନା କରିଥିବା ବେଳେ ଶ୍ରୀ ଶିବଶଙ୍କର ପଣ୍ଡା ମ୍ୟାଚ୍ କମିଶନର ଥିଲେ ଏବଂ ସୁଦୀପ୍ତା ଦାସ ମ୍ୟାଚ୍ ସମୀକ୍ଷା କରିଥଲେ ।
ଏହି ମ୍ୟାଚ୍ ରେ ଓଡ଼ିଶା ଫୁଟବଲ ଆସୋସିଏସନର ଉପସଭାପତି ଦିଲ୍ଲୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବୃନ୍ଦାବନ ଦଳବେହେରା, ଅଶୋକ କୁମାର ମହାନ୍ତି, ମହମ୍ମଦ ସହିଦ ଜବାର, ସୁରେଶ କୁମାର ସ୍ୱାଇଁ, ଜଲିଲ୍ ଖାନ, ରଞ୍ଜିତା ମହାନ୍ତି, ସୁଦୀପ୍ତା ଦାସ, ଶୁଭେନ୍ଦୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସିଟି କ୍ଲବର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗିରିଜା ଦାସ, ବନୋଜ ପ୍ରଧାନ, ତିଳୋତମା ଦଳେଇ ପ୍ରମୁଖ ସହଯୋଗ କରିଥିଲେ । ୩୦ ତାରିଖ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ରେ ନିତା ଫୁଟବଲ ଏକାଡ଼େମୀ ଏବଂ କୁଆଁରମୁଣ୍ଡା ସୁନ୍ଦରଗଡ଼ ମଧ୍ୟରେ ମୁକାବିଲା ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଆସନ୍ତା ୩୧ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
