ପାଟକୁରା,୧୫/୦୩/୨୦୨୫ (ଓଡିଶା ସମାଚାର)-ଗରଦପୁର ବ୍ଳକ ଅଧୀନ ବେଡାରୀ ଗ୍ରାମ ପଂଚାୟତ ବେଡାରୀ ଦୋଳ ମଣ୍ଡପରେ ଆଜି ହୋଲି ଅବସରରେ ପାରମ୍ପରିକ ଦୋଳ ମେଲଣ ଅନୁଷ୍ଠିତହେଉଛି । ପୁର୍ଣ୍ଣିମାଦିନ ରାତିରେ ରାଧାକୃଷ୍ଣ ଠାକୁର ସୁସଜିତ ଦୁଇଗୋଟି ବିମାନରେ ବସି ନାମ ସଂଙ୍କିର୍ତନ ସହ ଗ୍ରାମରେ ଭୋଗ ଖାଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାପରେ ଏକ ବର୍ଣ୍ଣାଢ୍ୟ ରୋଷଣୀ ଶୋଭାଯାତ୍ରାରେ ଦଧିବାମନଜୀଉ ମନ୍ଦିରରୁ ବାହାରି ମେଲଣ ପଡିଆରେ ଥିବା ଦୋଳମଣ୍ଡପରେ ଆସୀନ ହୋଇଥିଲେ. ।
ମଣ୍ଡପ ନିକଟରେ ଗ୍ରାମର ଗୋପାଳ ବାଳକ ମାନେ ରାଧାକୃଷ୍ଣଙ୍କ ଉଦେଶ୍ୟରେ ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁ ମାନେ ଦୋଳ ମଣ୍ଡପରେ ଦିଅ ଦର୍ଶନ କରିବା ପରେ ଲଉଡ଼ିଖେଳ ଉପଭୋଗ କରିଥିଲେ ।
ଏଠାରେ ବିଭିନ୍ନ ପ୍ରକାର ଦୋକାନ ବଜାର ପଡିଛି ଓ ଲୋକମାନେ ଏହାର ମଜା ନେଉଛନ୍ତି । ହାଣ୍ଡି, ମାଠିଆ, ଛାଚୁଣୀ, ପହଁରା, ଚାର୍ଟ, ଥଣ୍ଡା ପାନୀୟ, ଜଳଖିଆ ଦୋକାନ ରହିଥିବା ବେଳେ ପିଲାମାନେ ଏହାର ମଜା ନେଉଛନ୍ତି । ପିଲାମାନଙ୍କପାଇଁ ବିଭିନ୍ନ ଖେଳ ଥିବାରୁ ଏହା ସେମାନଙ୍କୁ ଅଧିକ ମଜା ଦେଉଛି ।
ବେଡାରୀ ଦୋଳ ମେଲଣକୁ ଆଖ ପାଖ ପରକଣା, ଶ୍ରୀଚନ୍ଦନପୁର, ଡ଼ାଳୁଅଣୀ, ପାଟକୁରା, ଜଗଦଳପୁର, ଯମୁନାବାଦ, ପଦ୍ମପୁର, ଗୋତ୍ରବିଲ, କିଣିଲୋ, ନୂଆପଡା, ମାଣ୍ଡିଆ, ରାଘବପୁର, ହରିଦାସପୁର, ବିଚଣା ପ୍ରଭୃତି ବିଭିନ୍ନ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଆସି ଠାକୁର ଦର୍ଶନ କରିବାସହ ଦୋଳ ମେଳଣର ମଜାଉଠାଉଛନ୍ତି । ବିଳମ୍ବିତ ରାତିରେ ମେଲଣ ସାରିବା ପରେ ଠାକୁର ମନ୍ଦିର କୁ ପ୍ରତ୍ୟାବର୍ତନ କରିବେ ।
ଏହି ମେଲଣ ବ୍ରିଟିଶ୍ ଶାସନ କାଳରୁ ପ୍ରାୟ ତିନିଶହ ବର୍ଷ ହେବ ଅନୁଷ୍ଠିତ ହେଉଛି । ସେ ସମୟରେ ଦାଇତ୍ୱରେ ଥିବା ଜମିଦାର କାଳୀପଦ ରାଏ ମେଲଣର ଭଲମନ୍ଦ ବୁଝୁଥିଲେ । ସମୟକ୍ରମେ ବ୍ରିଟିଶ୍ ଶାସନ ପ୍ରତ୍ୟାହୃତ ହେବା ପରେ ଓ ଜମିଦାରୀ ପ୍ରଥା ଉଛେଦ ହେବା ପରେ ମେଲଣ ଦାଇତ୍ୱ ବେଡାରୀ ଗ୍ରାମବାସୀ ବୁଝୁଛନ୍ତି ।
ସମୟ କ୍ରମେ ଅନେକ ପରମ୍ପରା କାଳ ଗର୍ଭରେ ପୋତି ହୋଇଗଲାଣି । ତଥାପି ଆର୍ଥିକ ଦୁରବସ୍ଥା ମଧ୍ୟରେ ଗ୍ରାମବାସୀ ଏହି ପୁରାତନ ଦୋଳ ମେଲଣ ପରମ୍ପରା କୁ ତିନିଶହ ବର୍ଷ ହେବ ବଞ୍ଚାଇ ରଖି ଥିବାରୁ ସାଧାରଣରେ ପ୍ରଶଂସା କରାଯାଉଛି । ସରକାରୀ ସ୍ତରରେ ଏହି ପରମ୍ପରାକୁ ବଞ୍ଚାଇ ରଖାଗଲେ ବହୁତ ଭଲ ହୁଅନ୍ତା
।