ଫୁଲନଖରା,୧୧/୦୩/୨୦୨୫(ଓଡ଼ିଶା ସମାଚାର)-ଫୁଲନଖରାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୨୦୨୫-୨୬ ଶିକ୍ଷାବର୍ଷରେ ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ଏକ ଲୋଗୋ ଉନ୍ମୋଚିତ ହୋଇଯାଇଛି । ରୌପ୍ୟ ଜୟନ୍ତୀ କମିଟିର ଅଧ୍ୟକ୍ଷ ସ୍ଵାଧୀନଚେତା ମହାନ୍ତି, ବିଶ୍ବ ହିନ୍ଦୁ ପରିଷଦର କଟକ ଜିଲ୍ଲା ସଭାପତି ମାନସ ପଣ୍ଡା, ଉପଦେଷ୍ଟା କାନନ ବିହାରୀ ନାୟକ, ସଂପାଦକ ନରେନ୍ଦ୍ର କୁମାର ଦାସଙ୍କ କରକମଳରେ ଉକ୍ତ ଲୋଗୋ ଉନ୍ମୋଚିତ ହୋଇଥିଲା ।
ବିଦ୍ୟାଳୟର ଅଭିଭାବକ/ଅଭିଭାବିକା ଓ ଗରୁମା/ଗୁରୁଜୀ ମାନଙ୍କ ମଧ୍ୟରେ ଆଗାମୀ କାର୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ମତ ବିନିମୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ରଥଯାତ୍ରା ଠାରୁ ଉକ୍ତ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇ ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ଏହାକୁ ଉଦ୍ଯାପନ କରାଯିବ ବୋଲି ବିଦ୍ୟାଳୟର ସଂପାଦକ ଘୋଷଣା କରିଥିଲେ ।
ବିଦ୍ୟାଳୟର ଅଭିଭାବକ/ଅଭିଭାବିକା ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସମନ୍ୱୟ କମିଟିମାନ ଗଠନ କରାଯିବା ସହିତ ସମସ୍ତ କାର୍ୟ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ରୌପ୍ୟଜୟନ୍ତୀ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିବା ସହ ଉପସ୍ଥିତ ଅଭିଭାବକ/ଅଭିଭାବିକାମାନଙ୍କୁ ଉକ୍ତ କାର୍ୟ୍ୟକ୍ରମରେ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟା ସାଗରିକା ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।