ପ୍ରଗତିଶୀଳ ସାଂସ୍କୃତିକ ପତ୍ରିକା “ସମଧ୍ୱନି”ର ୨୦ତମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଶାର ଗାଁ’ର କୃଷି ସଂସ୍କୃତି ଓ ଐତିହ୍ୟକୁ ପୁନଃ ସଂରକ୍ଷଣ କରିବାପାଇଁ ସମଧ୍ୱନିର ଆହ୍ଵାନ

ଭୁବନେଶ୍ୱର, ୧୦ /୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଏକ ସାଂସ୍କୃତିକ ଆଲୋଚନା ଓ ପରିବେଶ ଭିତରେ ଓଡ଼ିଶାର ପ୍ରଗତିଶୀଳ ସାଂସ୍କୃତିକ ପତ୍ରିକା ସମଧ୍ଵନିର ୨୦ତମ ବାର୍ଷିକ ଉତ୍ସବ ଭୂବନେଶ୍ଵର ସ୍ଥିତ ଲୋହିଆ ଏକାଡେମୀଠାରେ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଅବହେଳିତ ଲୋକ ସଂଗୀତ, କଳା ଓ ଲୋକକଳାକାର ଓ ଓଡ଼ିଶାର ଯୁବ ଛାତ୍ରଛାତ୍ରୀ, ପାଠ ଛାଡି ଗାଁରେ ରହୁଥିବା ପିଲାମାନଙ୍କୁ ନେଇ ଗାଁ’ର ସଂସ୍କୃତି ଓ ଇତିହାସର ସଂରକ୍ଷଣ ଓ ପୁନଃଜାଗରଣ ଉପରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଥିଲା।

ସମଧ୍ଵନି ସାଂସ୍କୃତିକ ସଂଗଠନର ଅଧ୍ୟକ୍ଷ ତଥା ସମଧ୍ବନି ପତ୍ରିକାର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସମଧ୍ଵନି ଦ୍ଵାରା ସମ୍ପ୍ରଦାୟିକ ସଂପ୍ରୀତି ପୁସ୍ତକ ଓ ସମଧ୍ଵନି ଜାନୁୟାରୀରୁ ମାର୍ଚ୍ଚ ସଂଖ୍ଯାର ଉନ୍ମୋଚନ କରଯାଇଥିଲା ।ସମଧ୍ଵନି ସହିତ ଯୋଡି ହୋଇଥିବା ବିଶିଷ୍ଟ ସାମ୍ବାଦିକ ରାଜୀବ ସଗରିଆ ଓଡିଶାରେ ସାମ୍ପ୍ରଦାୟିକ ସଂପ୍ରୀତି ସମ୍ପର୍କରେ ଚର୍ଚ୍ଚା କରିଥିବା ବେଳେ ଡ. ଅଜିତ କୁମାର ମୁନୀ ଲୋକକଳା ଓ ସଂସ୍କୃତିର ସଂରକ୍ଷଣ ବିଷୟରେ ଚର୍ଚ୍ଚା କରିଥିଲେ। ସାମାଜିକ କର୍ମୀ ପ୍ରଣୟ ମଞ୍ଜରୀ, ୱେବମାଷ୍ଟର ରାକେଶ ରଞ୍ଜନ ସମନ୍ତରାୟ, ଏବଂ ବିଶିଷ୍ଟ ବେହେଲା ବାଦକ ଜ୍ୟୋତିପ୍ରକାଶ ସାହୁ ଓଡ଼ିଶାର କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ କେଉଁଭଳି କାମ କରିବା ଜରୁରୀ ଏବଂ ସମଧ୍ୱନିର ଭୂମିକା କ’ଣହେବ ସେହି ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ।

ସ୍ଵୟଂପ୍ରଭା ପାଢ଼ୀ ଓଡ଼ିଶାର ଯୁବ ଛାତ୍ରଛାତ୍ରୀମାନଙ୍କୁ ନେଇ କେମିତି ଗାଁ’ର ସଂସ୍କୃତି ଓ ଇତିହାସର ସଂରକ୍ଷଣ କରାଯିବ ଓ ଏ ଦିଗରେ ସମଧ୍ଵନି କେଉଁ ଭୂମିକା ନେବ ସେ ଦିଗରେ ନିଜର ଦୃଷ୍ଟିକୋଣ ସ୍ପଷ୍ଟ କରିଥିଲେ। ସମଧ୍ଵନିକୁ ଦିଗଦର୍ଶନ ଦେଉଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଭିତରେ  – ପ୍ରଫେସର ବୀରେନ୍ଦ୍ର ନାୟକ, ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ଭାସ୍କର ପରିଛା, ବିଶିଷ୍ଟ ସାମ୍ବାଦିକ ସୁଧୀର ପଟ୍ଟନାୟକ, ଗୁରୁ ଡ. ଅଧ୍ୟାପକ ଅଜୟ କୁମାର ବିଶ୍ଵାଳ, ଗୁରୁ ଅଧ୍ୟାପକ କରୁଣାକର ନାୟକ, ଏହି ପ୍ରୟାସକୁ ଆଗେଇନେବା ପାଇଁ କେଉଁସବୁ ପଦକ୍ଷେପ ନେବାକୁ ହେବ ପରାମର୍ଶ ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମଧ୍ଵନିର ସଂଗୀତ ଆସରରେ ଅନେକ ପ୍ରସିଦ୍ଧ କଳାକାର ଏବଂ ନୂତନ ଗାୟକମାନ ଯୋଗଦେଇଥିଲେ। ନାଲକୋ ନଗର ବସ୍ତିରୁ ସମଧ୍ଵନିର ସଦସ୍ୟ ସେବତୀ ସୋରେନ ପ୍ରଥମେ ସଙ୍ଗୀତ ପରିବେଷଣ କରିଥିଲେ। ଏହା ବ୍ୟତୀତ ଓଡିଶୀ ସଙ୍ଗୀତ ଗାୟକ ରାଜେଶ କୁମାର ଲେଙ୍କା, ବିଶିଷ୍ଟ ବେହେଲା ବାଦକ ଜ୍ୟୋତିପ୍ରକାଶ ସାହୁ, ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ବାବାଜୀ ଜେନା, ସୁବୀର ଜେନା ଏବଂ ସ୍ଵୟଂପ୍ରଭା ପାଢ଼ୀ ନିଜର ସ୍ଵରରେ ଦର୍ଶକମାନଙ୍କୁ କିଛି ନୂତନ ସଙ୍ଗୀତ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଥିଲେ।ଓଡ଼ିଶାର ଭବିଷ୍ୟତକୁ ନେଇ ସମଧ୍ୱନିର ଦୂରଦୃଷ୍ଟି ଏବଂ ଓଡ଼ିଶାର ଯୁବ ସମାଜ ତଥା ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ନୂଆ ପରିକଳ୍ପନା ନିଶ୍ଚିତ ଭାବରେ ଏକ ନୂତନ ଦିଗକୁ ଦ୍ରୁଷ୍ଟି ନିକ୍ଷେପ କରୁଛି।

()

Leave a Reply

Your email address will not be published. Required fields are marked *