ଆକ୍ସନ ମୋଡରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ

ବାଲି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ଜିଲା ପ୍ରଶାସନର କଡା ଆଭିମୁଖ୍ୟ
ବିରତ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ
କେନ୍ଦ୍ରାପଡ଼ା, ୧୦/୦୩/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ପରେ ଜିଲା ପ୍ରଶାସନ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ଓ ବାଲିର ଅବୈଧ ଉଠାଣ ଓ ଚୋରା ଚାଲାଣ ଏବଂ ଅବୈଧ ଇଟା ଭାଟିର ନିର୍ମାଣକୁ ରୋକିବା ପାଇଁ ଉପ ଜିଲାପାଳ, ତହସିଲଦାର ଏବଂ ଆଇଆଇସିଙ୍କୁ ନେଇ ସାତ ଗୋଟି ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଥିଲା ।

କେନ୍ଦ୍ରାପଡ଼ାରେ ଅବସ୍ଥାପିତ ଖଣି ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଭିନ୍ନ ନଦୀରୁ ଅବୈଧ ବାଲି ଉଠାଣ ଓ ଚୋରା ଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ଟିମ ଦ୍ୱାରା ୨୦ ଗୋଟି କେସ ରୁଜୁ କରାଯାଇ ସେଥିରେ ବ୍ୟବହୃତ ୨୭ ଗୋଟି ଗାଡ଼ିକୁ ଜବତ କରାଯାଇଛି ଓ ୧୨ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଏବଂ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୨୩ ଗୋଟି ଇଟାଭାଟି ଏବଂ ଆଳି ଓ ମାର୍ଶାଘାଇ ତହସିଲ ଅନ୍ତର୍ଗତ ୨ ଗୋଟି ବାଲି ଖାଦାନ ଉପରେ ଚଢାଉ କରାଯାଇ ୩ ଗୋଟି ହାଇୱା, ୨ ଗୋଟି ଟ୍ରାକ୍ଟର, ଗୋଟିଏ ପ୍ରୋକ୍ଲିନ୍, ଗୋଟିଏ ସକ୍ସନ୍ ମେସିନ୍ ଜବତ କରାଯାଇଛି । ଆଜି ପର୍ଯ୍ୟନ୍ତ ସମୁଦାୟ ୫ ଲକ୍ଷ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି । ଚୋରା ଚାଲାଣ କାର୍ଯ୍ୟରୁ ବିରତ ନ ହେଲେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଚେତାବନୀ ଦେଇଛନ୍ତି । ଜନସାଧାରଣ ଜିଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ କରିବେ ବୋଲି ଜିଲାପାଳ ଗଣମାଧ୍ୟମ ମାଧ୍ୟମରେ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *