କେନ୍ଦ୍ରାପଡ଼ା,୦୮/୦୩/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ସଦର ମହକୁମା ଗରାପୁର କାଳୀମନ୍ଦିର ନିକଟରେ ଥିବା ଜନଔଷଧି କେନ୍ଦ୍ରରେ ସପ୍ତମ ଜନଔଷଧି ଦିବସ ଉପଲକ୍ଷେ ଆୟୋଜିତ ସଭାରେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଜରିଆରେ ସୁଲଭ ଦରରେ ମିଳୁଥିବା ଉନ୍ନତମାନର ଜେନେରିକ ଔଷଧ ହେଉଛି ୫୦% ରୁ ୮୦% ପର୍ଯ୍ୟନ୍ତ ଶସ୍ତା ଔଷଧ ।
ଏହା ହେଉଛି ଉଚ୍ଚମାନର ଡବ୍ଲୁଏଚଓ ଏବଂ ଏନଏବିଏଲ ପ୍ରମାଣିତ ଔଷଧ । ଏହାର ବହୁଳ ପ୍ରଚାର ଓ ପ୍ରସାର କରିବା ପାଇଁ ସାଂସଦ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସାରା ଦେଶରେ ୧୫ହଜାରରୁ ଉର୍ଦ୍ଧ୍ୱ ଜନଔଷଧି କେନ୍ଦ୍ର ଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ୭ଶହ ପାଖାପାଖି । ଆମ କେନ୍ଦ୍ରାପଡ଼ା ଜିଲାରେ ୩୧ଗୋଟି ଜନଔଷଧି କେନ୍ଦ୍ର ମାଧ୍ୟମରେ ଜେନେରିକ ଔଷଧ ପ୍ରଦାନ କରାଯାଉଛି ବୋଲି ସାଂସଦ ମତବ୍ୟକ୍ତ କରିଥିଲେ ।
ଉପସ୍ୱାସ୍ଥ୍ୟ କେନ୍ଦ୍ରସ୍ତରୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ସମେତ ୧୦୬ ପ୍ରକାର ଔଷଧ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୧୭୨ ପ୍ରକାର ଔଷଧ ବିନା ମୂଲ୍ୟରେ ଉପଲବ୍ଧ ହେଉଛି । ଜିଲାପାଳ ସ୍ମୃତରଞ୍ଜନ ପ୍ରଧାନ ସମସ୍ତ ଡାକ୍ତରଙ୍କୁ ଜେନେରିକ ଔଷଧ ଲେଖିବାକୁ ପରାମର୍ଶ ଦେଇଥିଲେ ।
ଉକ୍ତ ସଭାରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରମୋଦ କୁମାର ପ୍ରହରାଜ, ଜିଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ଜିଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ତେଜେଶ୍ୱର ପରିଡା, ଏଡିଏମଓ ଡ଼ା. ସଚ୍ଚିଦାନନ୍ଦ ମିଶ୍ର, ଡ଼ା. ନୃପେନ ଶତପଥି, ପୂର୍ବତନ ଜିଲା ବିଜେପି ସଭାପତି କିଶୋର ପଣ୍ଡା, ବୁଦ୍ଧିଜୀବୀ, ଜନସାଧରଣ ଓ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ଜନଔଷଧି କେନ୍ଦ୍ରର ମୁଖ୍ୟ ଓ କର୍ମକର୍ତା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।