ଯାଜପୁର,୨୭/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବସ୍ତିଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୦୨୪ ଜାନୁୟାରୀ ମାସ ୩ ତାରିଖ ଏବଂ ୪ ତାରିଖରେ ୨ ଗୋଟି କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନ ସଂପର୍କରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ସାମ୍ୱାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନ ଓ ସୁ ଚିନ୍ତିତ ମତାମତ ଉପରେ ଶ୍ରୀ ବସ୍ତି ଉତର ଦେବା ସହ ନିଯୁକ୍ତି ମେଳା ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଜାନୁୟାରୀ ୩ ତାରିଖରେ ନୃସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଯାଜପୁର ଠାରେ ଏବଂ ଜାନୁୟାରୀ ୪ ତାରିଖରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ, ଯାଜପୁର ରୋଡ ଠାରେ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ୨ ଗୋଟି କ୍ଷୁଦ୍ର ନିଯୁକ୍ତି ମେଳ ଅନୁଷ୍ଠିତ ହେବ । ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ ବେସରକାରୀ ସଂସ୍ଥାର ନିଯୁକ୍ତିଦାତାମାନେ ଅଂଶ ଗ୍ରହଣ କରି ନିଯୁକ୍ତି ପ୍ରଦାନ କରିବେ । ଏହା ବ୍ୟତୀତ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହିତ ଅନୁବନ୍ଧିତ ଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାମାନେ ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରି ନିଯୁକ୍ତି ଭିତିିକ ସ୍ୱଳ୍ପ ଅବଧିର ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ ପ୍ରାର୍ଥୀ ମାନଙ୍କୁ ଚୟନ କରିବେ । ଏହି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ପ୍ରଶିକ୍ଷଣ ସମୟରେ ରହିବା ଏବଂ ଖାଦ୍ୟ ପେୟ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଯେଉଁ ପ୍ରାର୍ଥୀ, ପ୍ରାର୍ଥିନୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଓ ସରକାରୀ ପଲିଟେକନିକ୍, ଯାଜପୁରରେ ଉପଲବ୍ଧ ଥିବା ବିଭିନ୍ନ ଡିପ୍ଳୋମା ପାଠ୍ୟକ୍ରମରେ ନାମ ଲେଖାଇବାକୁ ଇଛୁକ ଥିବେ ସେମାନଙ୍କୁ ମଧ୍ୟ ଏହି ମେଳାରେ ସୁଯୋଗ ପ୍ରଦାନ କରାଯିବ । ପ୍ରାର୍ଥୀ, ପ୍ରାର୍ଥିନୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଇଛା ମୁତାବକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଙ୍କ ସହିତ ସାକ୍ଷାତ କରି ସିଧାସଳଖ ନିଯୁକ୍ତିର ସୁଯୋଗ ପାଇପାରିବେ । କେବଳ ଯାଜପୁର ଜିଲାର ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ, ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ହୋଇଥିବ ଏବଂ ଶିକ୍ଷାଗତ ଯୋଗ୍ୟତା ପଂଚମ ଶ୍ରେଣୀ ପାଶ୍ ଠାରୁ ସ୍ନାତକ ପାଶ୍, ଆଇଟିଆଇ ଓ ଡିପ୍ଳୋମା ପାଶ୍ କରିଥିବେ ସେମାନେ ଏହି ନିଯୁକ୍ତି ମେଳାର ସୁଯୋଗ ନେଇପାରିବେ ।
ଏହି ନିଯୁକ୍ତି ମେଳାରେ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର, ଆଧାର କାର୍ଡ ଏବଂ ୨ ଗୋଟି ପାଶ୍ପୋର୍ଟ ଫଟୋ ସହିତ ଅଂଶ ଗ୍ରହଣ କରି ନିଯୁକ୍ତି ମେଳାର ବହୁଳ ଭାବରେ ଫାଇଦା ନେବାକୁ ଜିଲା ପ୍ରଶାସନ ପକ୍ଷରୁ ଜିଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଅନୁରୋଧ କରିଛନ୍ତି ।
ସାମ୍ୱାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଅଧିକାରୀ ସୁଶ୍ରୀ ସ୍ୱର୍ଣ୍ଣଲତା ରାଉତ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ଛାପା ଓ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।
ନିଯୁକ୍ତି ମେଳା ୨୦୨୩-୨୪ ଆୟୋଜିତ ସଂପର୍କିତ ସାମ୍ୱାଦିକ ସମ୍ମିଳନୀ
