ଇିମ୍ ରୁ ଖସୁଛି ପଲସ୍ତରା
କେନ୍ଦ୍ରାପଡ଼ା,୧୯/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ପରିଷଦ କାର୍ଯ୍ୟାଳୟ ଏବେ ଜନ ପ୍ରତିନିଧି, ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କ ପାଇଁ ବିପଦ ଶଙ୍କୁଳ ପାଲଟିଯାଇଛି । ତିନି ମହଲା ବିଶିଷ୍ଟ ଏହି ଅଟାଳିକାର ଶୀର୍ଷ ମହଲାର ବିମ୍ ରୁ ସିମେଂଯ ପଲସ୍ତରା ମାନ ଖସି ଲୋକମାନଙ୍କ ଉପରେ ପଡୁଛି । ଏହାଦ୍ୱାରା ଲୋକେ ଆହତ ହେଲେଣି । ଏନେଇ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଅବଗତ ବି କରାଯାଇଛି । କିନ୍ତୁ ନିକଟରେ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ଅବସର ହୋଇଯାଇଛି । ଫଳରେ କେହି ସ୍ଥାୟୀ ମୁଖ୍ୟ ଉନ୍ନୟନ ଅଧିକାରୀ ସେହି କାର୍ଯ୍ୟାଳୟରେ ନାହାନ୍ତି । ଅତିରକ୍ତ ଜିଲାପାଳ ନିଲୁ ମହାପାତ୍ର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ନିୟମିତ ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗ ନଦେବା ଯାଏ ଅବସ୍ଥା ଏଭଳି ରହିବ ବୋଲି ଜନୈକ କର୍ମଚାରୀ କହିଛନ୍ତି । ସେ କହିଛନ୍ତି ଯେ ନିୟମିତ ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗଦେବା ପରେ ମରାମତି ନେଇ କିଛି ପଦକ୍ଷେପ ନିଆଯାଇପାରିବ । କାରଣ ଦାୟିତ୍ୱରେ ଥିବା ଅଧିକାରୀ ସବୁଦିନେ କାର୍ଯ୍ୟାଳୟ ଆସି ପାରୁ ନାହାନ୍ତି । ଯେଉଁ ଦିନ ଆସୁଛନ୍ତି ସେଦିନ ତାଙ୍କ ଉପରେ ବିଭିନ୍ନ ଫାଇଲର ବୋଝ ଲଦି ହୋଇଯାଉଛି । ଫଳରେ ତାଙ୍କୁ କାର୍ଯ୍ୟାଳୟର ସମସ୍ୟା ସମାଧାନ କରିବାକୁ ସମୟ ମିଳୁନି । ଜଣେ ପୂର୍ବତନ ଜନ ପ୍ରତିନିଧି ଜ୍ଞାନରଞ୍ଜନ ମହାନ୍ତି କହିଛନ୍ତି ୧୯୯୮ ମସିହାରେ ଅଟାଳିକାଟି ନିର୍ମାଣ କରାଯାଇଥିଲା । ଅଟାଳିକାକୁ ଏବେ ୨୫ବର୍ଷ ପୁରି ସାରିଲାଣି । ତେଣୁ ଅଟାଳିକାର ମରାମତି ଆବଶ୍ୟକ ହୋଇପଡିଛି । ଦୀର୍ଘଦିନ ଧରି ମରାମତି ଅଭାବରୁ ଅଟାଳିକାର ଅବସ୍ଥା ସଂଗୀନ ହୋଇପଡିଲାଣି । କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଫଳରେ ବିମ୍ ରୁ ପଲସ୍ତରା ଖଣ୍ଡମାନ ଖସି ଲୋକଙ୍କ ଉପରେ ପଡୁଛି । ଏହାଦ୍ୱାରା କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଓ ଜନପ୍ରତିନିଧି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବା ଉଚିତ ବୋଲି କର୍ମଚାରୀ ଜଣଙ୍କ କହିଛନ୍ତି । ଏସଙ୍କ୍ରାନ୍ତରେ ଦାୟିତ୍ୱରେ ଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହାର ମରାମତି କରିବା ପାଇଁ ସେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ ।