ପୂର୍ତ୍ତ ବିଭାଗ ଅଧୀନରେ ଥିବା ୧୦୦ କୋଟିରୁ  ଉର୍ଦ୍ଧ ବ୍ୟୟର ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

#      ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ – –  #     ପ୍ରକଳ୍ପର ଗୁଣବତ୍ତା ଉପରେ ଅଧିକ ନଜର ରଖିବାକୁ ଗୁରୁତ୍ୱ

#     ପ୍ରତି ମାସରେ ହେବ କଣ୍ଟ୍ରାକ୍ଟ ମ୍ୟାନେଜ୍‌ମେଣ୍ଟ ମିଟିଂ   —  #     କାର୍ଯ୍ୟରେ ବିଳମ୍ବ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୦୪/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ତ୍ତ ବିଭାଗ ଅଧୀନରେ ଥିବା ୧୦୦ କୋଟିରୁ ଅଧିକ ପ୍ରକଳ୍ପ ମୂଲ୍ୟର ରାସ୍ତାଘାଟ, ସେତୁ ତଥା କୋଠାବାଡ଼ି ଆଦି କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସରକାର ରାଜ୍ୟବାସୀଙ୍କୁ ଉନ୍ନତ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ । ତେଣୁ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ କିମ୍ବା ଗୁଣବତ୍ତା ନେଇ ସାଲିସ କରାଯିବ ନାହିଁ । ଏଥି ପାଇଁ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ନିୟମିତ କାର୍ଯ୍ୟର ତଦାରଖ ସହ ପ୍ରତି ମାସରେ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।

ଠିକା ସଂସ୍ଥାଙ୍କ ସମସ୍ୟାର ସମାଧାନ ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀ ଉଦ୍ୟମ ଜାରି ରଖିବେ । ସେହିଭଳି କାର୍ଯ୍ୟଭାର ନେଇଥିବା ଏଜେନ୍ସି ଅବା ଠିକା ସଂସ୍ଥା ନିଜର ମାନବସମ୍ବଳ ଓ ଜ୍ଞାନକୌଶଳକୁ ଉପଯୋଗ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଚେଷ୍ଟା କରିବେ । ତେବେ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ କିମ୍ବା ଗୁଣବତ୍ତା ନେଇ କୌଣସି ସଂସ୍ଥା ବିରୋଧରେ ଅଭିଯୋଗ ଆସିଲେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେବେ ବି ପଛଘୁଞ୍ଚା ଦେବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି । ସେହିଭଳି ଆଗାମୀ ଦିନରେ ପ୍ରକଳ୍ପ କାର୍ଯ୍ୟାଦେଶ ପ୍ରଦାନ ସମୟରେ ପୂର୍ବ ପ୍ରଦର୍ଶନକୁ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଜଗତସିଂହପୁର, ଯାଜପୁର, ଜୟପୁର ବାଇପାସ୍‌ ରାସ୍ତା ସମେତ ବିଭିନ୍ନ ପ୍ରମୁଖ ରାସ୍ତା, କୋରାପୁଟ ହସ୍‌ପିଟାଲ, ଜୟପୁର ହସ୍‌ପିଟାଲ, ଯାଜପୁର ହସ୍‌ପିଟାଲ ଏବଂ କ୍ୟାପିଟାଲ ହସ୍‌ପିଟାଲ୍‌ର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ସମେତ ବିଭିନ୍ନ କୋଠାବାଡ଼ି ପ୍ରକଳ୍ପର ଅଗ୍ରଗତି ନେଇ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟରେ ବିଭିନ୍ନ ନଦୀ ଉପରେ ଥିବା ହାଇଲେବୁଲ ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ବିଭାଗୀୟ ଅଧିକାରୀ, ଇଞ୍ଜିନିୟର ଓ ଠିକା ସଂସ୍ଥାଙ୍କଠାରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପଚାରି ବୁଝିଥିଲେ ।

ଏହି ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଇଆଇସି (ସିଭିଲ୍‌) ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଏଲ୍‌.କେ. ପାଢ଼ୀ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ସମୀର ହୋତାଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଠିକା ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ ।

-0-

ସୁଜିତ ରଞ୍ଜନ ସ୍ୱାଇଁ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *