ପ୍ରଧାନମନ୍ତ୍ରୀ ପୂର୍ବଦୋୟ ସ୍ୱପ୍ନକୁ ଶାକାର କରିଛନ୍ତି-ବୈଜୟନ୍ତ

କେନ୍ଦ୍ରାପଡ଼ା, ୦୨/୦୩/୨୦୨୫(ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବଦୋୟ ସ୍ୱପ୍ନକୁ ଶାକାର କରିବେ ବୋଲି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଆଜି ଫଳପ୍ରଦ ହୋଇଛି । କେନ୍ଦ୍ର ବଜେଟରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି । ତେଣୁ ଓଡିଶା ଖୁବଶୀଘ୍ର ବିକସିତ ରାଜ୍ୟରେ ପରିଣତ ହେବ ବୋଲି କହିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ଜିଲା ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପଣ୍ଡା କହିଲେ ଆସନ୍ତା ୫ବର୍ଷ ମଧ୍ୟରେ ଓଡିଶାର ସରକାରୀ ବିଦ୍ୟାଳୟ ଗୁଡିକରେ ୫୦ହଜାର ଅଟଳ କିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବ ।

ଓଡିଶାରେ ଏବେ ୮୩୬ଟି ଲ୍ୟାବ ରହିଛି । ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ଏହି ପ୍ରକଳ୍ପର ଉଦେଶ୍ୟ । ସେହିପରି ଓଡିଶାର ୩ହଜାର ୬୫୯ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଇଂଟରନେଟ ବ୍ରଡବ୍ୟାଣ୍ଡର ସୁବିଧା କରାଯିବ । ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ପୁସ୍ତକ ଯୋଗାଇଦେବା ପାଇଁ ସରକାର ଭାରତୀୟ ଭାଷା ପୁସ୍ତକ ଯୋଜନା ଆରମ୍ଭ କରିବେ । ଏହି ପ୍ରକଳ୍ପ ମାଧ୍ୟମରେ ଓଡିଆ ଭାଷାର ପ୍ରସାର ପ୍ରଚାର ହେବ । ପିଏମ ରିସର୍ଚ୍ଚ ଫେଲୋସିପ ଯୋଜନା ମାଧ୍ୟମରେ ବୈଷୟିକ ଗବେଷଣା ପାଇଁ ୧୦ହଜାର ଛାତ୍ରଛାତ୍ରୀଙ୍କୁ ଫେଲୋସିପ ପ୍ରଦାନ କରାଯିବ ।

ଜ୍ଞାନ ଭାରତମ ମିଶନ ଯୋଜନାରେ ପୁରାତନ ପୋଥି ଓ ପାଣ୍ଡୁଲିପିକୁ ଡିଜିଟାଇଜ୍ କରାଯିବ । ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଆସନ୍ତା ବର୍ଷରୁ ମେଡିକାଲ କଲେଜ ଗୁଡିକରେ ୧୦ହଜାର ସିଟ ବୃଦ୍ଧି କରାଯିବ । ଯୁବ ପିଢୀଙ୍କୁ ଦକ୍ଷ ବନାଇବା ପାଇଁ ପାଂଚୋଟି ଜାତୀୟ ଦକ୍ଷତା ଉକର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିରୁ ଗୋଟିଏ ଓଡିଶା ଭାଗରେ ପଡିବ । ଓଡିଶାରେ କିଷାନ କ୍ରେଡିଟକାର୍ଡ ଧାରୀମାନଙ୍କ ପାଇଁ କ୍ରେଡିଟ ସୀମା ୩ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ୪୦ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଶ୍ରୀ ପଣ୍ଡା କହିଥିଲେ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଯୋଗଦେଇ କହିଲେ ଯେ ରାଜ୍ୟ ସରକାର ବିକଶିତ ଓଡିଶା ଗଠନ କରିବା ପାଇଁ ପ୍ରୟାସ ଜାରିରଖିଛନ୍ତି ।

ସେହି ଅନୁଯାୟୀ ରାଜ୍ୟ ସରକାର ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ୩୦କୋଟି ଟଙ୍କା ବଜେଟ ରଖିଛନ୍ତି । ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩କୋଟି ଟଙ୍କା, ବକୁଳବନ ଓ ଅନ୍ୟାନ୍ୟ ପାଇଁ ୫୦କୋଟିଟଙ୍କା,ଦକ୍ଷିଣ ଓ ଉତର ଓଡିଶା ଉନ୍ନୟନ ପରିଷଦ ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨କୋଟି, ରାଜ୍ୟ ମହିଳା ଶିଶୁ ପ୍ରତିଷ୍ଠାନ ପାଇଁ ୫୩କୋଟି ଟଙ୍କା, ଓଡିଆ ପ୍ରବାସୀଙ୍କ ପାଇଁ ୧୦କୋଟି ଟଙ୍କା, ସମୃଦ୍ଧ କୃଷକ ଯୋଜନା ପାଇଁ ୬ହଜାର କୋଟି ଟଙ୍କା, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୩୧୫କୋଟି ଟଙ୍କା ଆୟୁଷ୍ମାନ ଭାରତ ଓ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା ପାଇଁ ୧୦ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ।

Leave a Reply

Your email address will not be published. Required fields are marked *