କେନ୍ଦ୍ରାପଡ଼ା, ୨୭/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବ୍ଲକର ୧୦ଟି ଗ୍ରାମପଂଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ କରାଯିବାକୁ ଦାବି ହୋଇଛି । ଏନେଇ ଦଶ ପଂଚାୟତ ବିକାଶ ପରିଷଦ ସଭାପତି ବ୍ରଜସୁନ୍ଦର ଭୂୟାଁଙ୍କ ନେତୃତ୍ୱରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଏଥିରେ ଉଲ୍ଲେଖ ରହିଛି ଆଳି ବ୍ଲକ ଅନ୍ତର୍ଗତ ନୂଆପଡା, ବାଟିପଡା, ସାନମଙ୍ଗ, ସହିରା, ପତ୍ରପୁର, ନରେନ୍ଦ୍ରପୁର, ସିଙ୍ଗିରି, ମାଣିକପାଟଣା, ଚଣ୍ଡିଆଗଡି ଓ ଅରେହିକଣା ଭଳି ଦଶଟି ପଂଚାୟତ ଦୀର୍ଘଦିନ ହେବ ଅବହେଳିତ ହୋଇ ରହିଛି । ୨୦୦୯ମସିହା ପୂର୍ବରୁ ଏହି ପଂଚାୟତ ଗୁଡିକ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଅଧିନରେ ରହିଥିଲା । କିନ୍ତୁ ସୀମା ପୁନଃ ନିର୍ଦ୍ଧାରଣ ପରେ ଏଗୁଡିକ ଆଳି ନିର୍ବାଚନ ମଣ୍ଡଳୀକୁ ଆସିଲା ।
କିନ୍ତୁ ଏହି ପଂଚାୟତ ଗୁଡିକର ବିଶେଷ ଉନ୍ନତି ହୋଇପାରିଲା ନାହିଁ । ପଂଚାୟତ ସମୁହର ପୁନର୍ଗଠନ ହେଲେ ଜନ ସଂଖ୍ୟା ଦୃଷ୍ଟିରୁ ଆଉ ୫/୬ଟି ନୂତନ ପଂଚାୟତ ସୃଷ୍ଟି ହେବ । ତେଣୁ ଏହାକୁ ମିଶାଇ ଏକ ନୂତନ ବ୍ଲକ ଗଠନ କରାଯିବା ପାଇଁ ଦଶ ପଂଚାୟତ ବିକାଶ ପରିଷଦର ସଭାପତି ତଥା ପୂର୍ବତନ ଜିଲା ପରିଷଦ ସଭ୍ୟ ବ୍ରଜସୁନ୍ଦର ଭୂୟାଁ, ସମ୍ପାଦକ ସୁମନ୍ତ ରାଉତ, ଚଣ୍ଡିଆଗଡି ସରପଂଚ ସନାତନ ସାହୁ, ସିଙ୍ଗିରି ସରପଂଚ ଅକ୍ଷୟ କୁମାର ଦାସ, ପୂର୍ବତନ ସରପଂଚ ସୁମନ୍ତ ଦାସ, ସୁଧିର ଚନ୍ଦ୍ର ମହାନ୍ତି, ଅଭୟ କୁମାର ସାହୁ, ଅଶୋକ କୁମାର ରାଉତ, ଗୋଲେଖ ଚନ୍ଦ୍ର ସାହୁ, ପ୍ରସନ୍ନ ସାହୁ ଓ ଅନାଦି ଦାସ ପ୍ରମୁଖ ଦାବି କରିଛନ୍ତି ।