ଦୁଇ ଗୁରୁତର ଆହତ ଶିଶୁ ଭୁବନେଶ୍ବର ସ୍ଥାନାନ୍ତରିତ
ଖୋର୍ଦ୍ଧା,୨୭/୦୨/୨୦୨୫ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାରବସ୍ତ ମଙ୍ଗରାଜସାହିରେ ଗୁରୁବାର ବିସ୍ଫୋରଣ ଘଟିଛି। ଘର ଭିତରେ ବିସ୍ଫୋରଣ ଘଟି ୩ ଜଣ ଶିଶୁ ଆହତ ହୋଇଛନ୍ତି । ଆହତ ଶିଶୁ ଙ୍କ ମଧ୍ୟରେ ୧୦ ରୁ ୧୨ ବର୍ଷ ମଧ୍ୟରେ ୨ ଜଣ ବାଳକ ଓ ଜଣେ ବାଳିକା ଅଛନ୍ତି । ଗୁରୁବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ଘର ଭିତରେ ବାଣ କି ବୋମା ବିସ୍ଫୋରଣ ଘଟିଛି ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରି ନାହିଁ । ୨ ଗୁରୁତର ଆହତ ଶିଶୁଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କୁ ଖୋର୍ଦ୍ଧାରେ ଚିକିତ୍ସା କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପ୍ରାପ୍ତ ସୂଚନା ଅନୁସାରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତିର ତାପସ ମଙ୍ଗରାଜଙ୍କ ଘରେ ଏହି ବିସ୍ପୋରଣ ଘଟିଛି। ତାପସ ମଙ୍ଗରାଜଙ୍କ ଭଣଜା ଭାଣାଜି ମାମୁ ଘରକୁ ବୁଲି ଆସିଥିଲେ। ଜାଗରରେ ଫୁଟାଇବା ପାଇଁ ବାଣ ଠାକୁର ଘରେ ରଖିଥିଲେ। ପିଲାମାନେ ଠାକୁର ଘର ବାରଣ୍ଡାରେ ଖେଳୁଥିବା ବେଳେ ହଠାତ ବାଣ ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ ।
ସ୍ଥାନୀୟ ଲୋକ ଏହା ବୋମା ବିସ୍ପୋରଣ ବୋଲି କହୁଥିବାବେଳେ ଏହା ବାଣ ବିସ୍ପୋରଣ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ୩ ଜଣ ଆହତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବାଣ କି ବୋମା ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନାଧିକାରୀ ଗାୟତ୍ରୀ ମିଶ୍ର ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଘଟଣାସ୍ଥଳରେ ପୋଲିସ ସହିତ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଚଳାଇଛି।