ବୁଦ୍ଧେଶ୍ୱର ମନ୍ଦିର ରେ ପ୍ରାୟ ପାଞ୍ଚ ହଜାର ଭକ୍ତ ଜାଗର ଦୀପ ଜାଳିଲେ

ଭୁବନ,୨୬/୦୨/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ଵର ମନ୍ଦିର ରେ ହଜାର ହଜାର ଭକ୍ତ ଜାଗର ପାଳି ଦୀପ ଜାଳିଥିଲେ। ପ୍ରାତଃ ସମୟରୁ ଅପରାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିବା ସହ ନିଜର ତଥା ନିଜ ପରିବାର ର ମଙ୍ଗଳ କାମନା କରି ଦୀପ ଜାଳିଥିଲେ ।

ସନ୍ଧ୍ୟା ପରଠାରୁ ମନ୍ଦିର ପରିସରରେ ଧୀରେ ଧୀରେ ଭକ୍ତଙ୍କ ଭିଡ ବଢିବାରେ ଲାଗିଛି ଓ ମନ୍ଦିର ଚତୁପାର୍ଶ୍ଵରେ ଶୈବ ଭକ୍ତ ମାନେ ଦୀପ ଜାଳି ନିଷ୍ଠାର ସହ ବସିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପରିଚାଳନା କମିଟି ତରଫରୁ ଜାଗର ଯାତ୍ରା କୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଛି । ମୁଖ୍ୟ ପୁରୋହିତ ଙ୍କ ତତ୍ତ୍ଵାବଧାନରେ ରାତ୍ର ସାଢେ଼ ୩ ଘଟିକା ସମୟରେ ମହାଦୀପ ଉଠିବ ବୋଲି ଚୁଡାନ୍ତ ହୋଇଛି ।

ସନ୍ଧ୍ୟା ପରଠାରୁ ଅହୋ ରାତ୍ର ଭଜନ ସନ୍ଧ୍ୟା ଅନୁଷ୍ଠିତ ହେଉଛି । ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ମାଜିଷ୍ଟ୍ରେଟ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ଭୁବନ ଥାନାଧିକାରୀ ଧୀରେନ୍ଦ୍ର କୁମାର ସ୍ବାଇଁ ଙ୍କ ତତ୍ତ୍ଵାବଧାନରେ ପୋଲିସ କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ ହୋଇଛନ୍ତି । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱଚ୍ଛ ସର୍ବେକ୍ଷଣ -୨୦୨୪ ଷ୍ଟଲ୍ କରାଯାଇ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା ।

ମନ୍ଦିର ପରିଚାଳନା କମିଟି ଓ ଖୁସି ବାଣ୍ଟିବା ସେବା ସଂଗଠନ ତରଫରୁ ସମସ୍ତ ପ୍ରକାର ସେବାକାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଥିଲା ।ଅନୁରୂପ ଭାବେ ଭୁବନ ଛତାମଠ ପରିସରରେ କାଶୀ ବିଶ୍ଵନାଥ,ଗୋଡ଼ି ପୋଖରୀ ସ୍ଥିତ ଆଖଣ୍ଡଳମଣି ମନ୍ଦିର,ନୁଆଭୁବନ ଶିବ ମନ୍ଦିର ସମେତ ବ୍ଲକର ନିଳକଣ୍ଠପୁର ସ୍ଵପ୍ନେଶ୍ୱର ମନ୍ଦିର, ଯମୁନାକୋଟ ର ଜମୁନେଶ୍ୱର ,ଓଡ଼ିଶ ର ଝରନେଶ୍ୱର ଶିବ ମନ୍ଦିର, ବ୍ରହ୍ମକୁଣ୍ଡ,ଚର୍ଚ୍ଚିକା ପୀଠ, ଜିରାଳ ର ଜଳେଶ୍ଵର ପ୍ରଭୃତି ଶିବ ମନ୍ଦିର ରେ ଜାଗର ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *