କେନ୍ଦ୍ରାପଡ଼ା,୨୩/୧୧/୨୦୨୫(ଓଡ଼ିଶା ସମାଚାର)-ଗାନ୍ଧିବାଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ନିଶା ନିବାରଣ ଅଭିଯାନ ଜିଲା କମିଟି ପକ୍ଷରୁ ମଦମୁକ୍ତ ଓଡ଼ିଶା ଓ ନିଶାମୁକ୍ତ ଭାରତ ଗଠନ ପାଇଁ ଦାବି କରାଯାଇଛି । ଏହି ଉପଲକ୍ଷେ ଜିଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ସଭାରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ନବକୃଷ୍ଣ ଚୌଧୁରୀଙ୍କ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନକୁ ଅବଦାନ ସେଙ୍ଗ ଚୌଧୁରୀ ପରିବାର ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଅବତାରଣା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ବ୍ଲକ ସଭାପତି ଦ୍ରୌପଦୀ ରାଉତ, ମାର୍ଶାଘାଇ ବ୍ଲକ ସମ୍ପାଦିକା ସୁଜାତା ସାମନ୍ତରାୟ, ଅଧ୍ୟାପକ ଅଜୟ ସାମଲ, ଡ. ଚୈତନ୍ୟ ଚରଣ ପରିଡା, ମୁକ୍ତାର ଖାଁ, ଅବଧୂତ ରାଉତ, ପଦ୍ମନାଭ ଦାସ, ନିରୁପମା ଦାସ, ଅମରେନ୍ଦ୍ର ଦାସ, ରୁଦ୍ର ପ୍ରସାଦ ବେହେରା, ବିଷ୍ଣୁପ୍ରିୟା ପଣ୍ଡା ପ୍ରମୁଖ ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ କଟୁ ସମାଲୋଚନା କରିବା ସହିତ ସରକାର ନିଜ ନିର୍ବାଚନ ପୂର୍ବ ପ୍ରତିଶ୍ରୁତି ରକ୍ଷାକରି ଅବିଳମ୍ବେ ୧୯୫୬ ମସିହାରୁ ବିଧାନସଭାରେ ପାରିତ ହୋଇଥିବା ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ ।
ପୂର୍ବାହ୍ନରେ ସ୍ମୃତି ରଞ୍ଜନ ବେଉରା, ଉମେଶ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ସଙ୍ଗଠନ ଯୁବ ସାମ୍ମୁଖ୍ୟର ସଭ୍ୟମାନେ ଗୁଲନଗର ଛକରୁ ପଦଯାତ୍ରାରେ ବାହାରି ବାଟରେ ନିଶା ନିବାରଣ ସଚେତନତା ସୃଷ୍ଟି କରି ସଭା ସ୍ଥଳରେ ପହଂଚିଥିଲେ ।
