ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଏବଂ ଭାଇଚାରାର ବାର୍ତ୍ତା ବାଣ୍ଟିବାରେ ଉତ୍ସବର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭଦ୍ରକ/ଭୁବନେଶ୍ୱର,୨୬/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାସୁଦେବପୁର ବ୍ଲକର କମାର ଗାଁର ମିର୍ଜାପୁରସ୍ଥିତ ସରସ୍ୱତୀ ସଂଗୀତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଦୁଇଦିନ ଧରି ଆୟୋଜିତ ସାଂସ୍କୃତିକ ମହାକୁମ୍ଭ “ପଞ୍ଚମ ହଂସଧ୍ୱନି ସଂଗୀତ ଓ ନୃତ୍ୟ ଉତ୍ସବ” ଗତ ରବିବାର ଉଦଯାପିତ ହୋଇଯାଇଛି।
ଆୟୋଜିତ ଉତ୍ସବର ପ୍ରଥମ ଦିବସରେ ମହାବିଦ୍ୟାଳୟର ସଭାପତି ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମନ୍ମଥ କୁମାର ଅଗସ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଂଧ୍ୟାରେ ଅତିଥି ଭାବେ ରୁଦ୍ରାକ୍ଷ ଫାଉଣ୍ଡେସନ୍ ର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁ, ବାଦ୍ୟବାଣୀ ଗୁରୁକୁଳର ନିର୍ଦ୍ଦେଶକ ଗୁରୁ ଶ୍ରୀ ଧନେଶ୍ୱରସ୍ୱାଇଁ,‘ବାଇଚଢେଇ’ ଅନୁଷ୍ଠାନର ସଂପାଦକ ଶ୍ରୀ ବିକାଶକୁମାରଶତପଥୀ, ସିନେମା ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ହାଜରା ପ୍ରମୁଖ ଯୋଗଦେଇ ଲୋକପ୍ରିୟ ସଫଳ ଚଳଚିତ୍ର ଅଭିନେତ୍ରୀ ନମ୍ରତା ଦାଶ ଙ୍କୁ “ଧ୍ରୁବ ସମ୍ମାନ” ରେ ସମ୍ୱର୍ଦ୍ଧିତ କରିଥିଲେ।
ଉଦଯାପନୀ ସନ୍ଧ୍ୟାରେ ସଭାପତି ଶ୍ରୀ ଅଗସ୍ତି ଙ୍କ ସମେତ ସଂଗୀତ ନିର୍ଦ୍ଦେଶକ ଶ୍ରୀ ବିଶ୍ୱସ୍ୱରୂପ ମହାପାତ୍ର, ସାହିତ୍ୟକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଓ ସଂସ୍କୃତିପ୍ରେମୀ ଶ୍ରୀ ବିଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଆୟୋଜିତ ଏହି ସାଂସ୍କୃତିକ ମହାକୁମ୍ଭ ଅନାଲୋଚିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟିବାରେ ଅନନ୍ୟ ଭୂମିକା ନିର୍ବାହ କରୁଛି ବୋଲି କହିଥିଲେ।
ଦୁଇ ଦିନର ଏହି କାର୍ୟ୍ୟକ୍ରମ ରେ ଡଃ. ଶ୍ରୀନିବାସ ଘଟୁଆରୀ (ମିଲନ) ମଞ୍ଚ ସଂଯୋଜନା କରିଥିଲେ। ଶ୍ରୀ ମନୀଷ ଅଗସ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀ ସମୀର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଖୋର୍ଦ୍ଧାର ପାଇକ ଆଖଡ଼ା, ମୟୂରଭଞ୍ଜ ର ଛଉନୃତ୍ୟ, ଓଡ଼ିଶୀ ନୃତ୍ୟଶିଳ୍ପୀ ସସ୍ମିତା ପଣ୍ଡାଙ୍କ ନୃତ୍ୟ ସମେତ ବହୁ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ମୃଦଙ୍ଗ ବାଦନ, ମର୍ଦ୍ଦଳ, ତବଲାବାଦ୍ୟ, ହିନ୍ଦୁସ୍ଥାନୀ, ଓଡ଼ିଶୀ କଣ୍ଠ ସଂଗୀତ, ସମ୍ବଲପୁରୀ ନୃତ୍ୟକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।