ଭୁବନେଶ୍ୱର,୨୭/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର ପୁରାତନ ଛାତ୍ରଛାତ୍ରୀମାନଙ୍କ ତରଫରୁ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗୀତା ଗୋବିନ୍ଦ ସଦନ, ଭୁବନେଶ୍ୱର ଠାରେ ଚଳିତ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱ ବିଦ୍ୟାଳୟର ଦିବଂଗତ ଛାତ୍ର ଛାତ୍ରୀ ତଥା ନିକଟ ଅତୀତରେ ପହଲଗାଓଁ କାଶ୍ମୀରରେ ସନ୍ତ୍ରାସବାଦୀଙ୍କ ଆକ୍ରମଣରେ ନିହତ ଲୋକମାନଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଜେଏନୟୁର ପୂର୍ବତନ ପ୍ରଫେସର ଶ୍ରୀ ଅଜୟ ପଟ୍ଟନାୟକ ନିଜର ଅଭିଭାଷଣରେ ତାଙ୍କ ଛାତ୍ର ଜୀବନର ଅଭୁଲା କାହାଣୀ ବଖାଣିଥିଲେ ଏବଂ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଅତୀତ କଥା ଭାବିଲେ ହୃଦୟ ପ୍ରଫୁଲିତ ହୋଇଯାଏ ଏବଂ ନିକଟ ଅତୀତରେ ବିଶ୍ୱ ବିଦ୍ୟାଳୟ ପରିଭ୍ରମଣ କରିଥିବା ଅଭି଼ଜ୍ଞିତା ବଖାଣିଥିଲେ।ସେ ତାଙ୍କର ବକ୍ତବ୍ୟରେ ଭୁବନେଶ୍ୱର ବ୍ୟତୀତ ଓଡିଶାର ବିଭିନ୍ନ ସ୍ଥାନରେ ଏହି ପରି କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରଫେସର ଅଶୋକ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ନୂତନ ଭାବେ ବିଶ୍ୱ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ ପାଇଁ ନୂତନ ଛାତ୍ର ଛାତ୍ରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ।
ସେହିପରି ଡ଼ ଅମ୍ୱିକା ପ୍ରସାଦ ନନ୍ଦ ତାଙ୍କ ଭାଷଣରେ ଜେଏନୟୁର ପ୍ରତିଷ୍ଠା ଓ ଆଦର୍ଶ ସବୁ କ୍ଷେତ୍ରରେ ପ୍ରତୀୟମାନ ଏବଂ ସଂଘର କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବାପାଇଁ ପ୍ରୋତ୍ସାହିତ କରିଥିଲେ।ଏହି ଅବସରରେ ସଂଘର ସ୍ମରଣିକା, ୨୦୨୫ ଉନ୍ମୋଚିତ ହୋଇଥିଲା। ପୁରାତନ ଛାତ୍ର ଛାତ୍ରୀ ସଂଘର ସାଧାରଣ ସଂପାଦକ ଡ଼ ମାନସ ରଂଜନ ନନ୍ଦ ସଂଘର ଗତ ବର୍ଷ ୨୦୨୪ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ସଂଘର କୋଷାଧ୍ୟକ୍ଷ ଶ୍ରୀ ରତିକାନ୍ତ ମହାପାତ୍ର ବିଗତ ବର୍ଷର ଆୟ ଓ ବ୍ୟୟର ତଥ୍ୟ ପୂର୍ବକ ସମସ୍ତ ପୂର୍ବତନ ଛାତ୍ର ଛାତ୍ରୀମାନଙ୍କ ସଂଘର ଆଜୀବନ ସଦସ୍ୟତା ଗ୍ରହଣ କରିବାକୁ ନିବେଦନ କରିଥିଲେ।
ଏହି ଅବସରରେ ଆଲୁମନି ଆସୋସିଏସନ୍ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ସଭ୍ୟମାନଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧିତ କରାଇଥିଲେ। ପୂର୍ବତନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।ଶେଷରେ ସୁଶ୍ରୀ ସାମଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟର ବହୁ ପୂର୍ବତନ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
