ଶିବଙ୍କ ରାତ୍ରି: ମହାଶିବରାତ୍ରି

ପ୍ରତିବର୍ଷ ଫାଲ୍ଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିରେ ପାଳନ କରାଯାଏ ମହାଶିବରାତ୍ରି ପର୍ବ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଭଗବାନ ଶିବ ଓ ମା’ ପାର୍ବତୀଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଏହି ତିଥିରେ ଶିବଲିଙ୍ଗ ଭାବରେ ଭଗବାନ ଶିବ ପ୍ରକଟ ହୋଇଥିଲେ । ସେଥିପାଇଁ ଏହି ଦିନ ଜ୍ୟୋତିର୍ଲିଙ୍ଗ ସ୍ୱରୂପରେ ପ୍ରକାଟ୍ୟ ପର୍ବ ଭାବରେ ମହାଶିବରାତ୍ରି ପର୍ବ ଅନୁଷ୍ଠିତ ହୁଏ ।

ତାଙ୍କର ନିରାକାର ସ୍ୱରୂପ ପ୍ରତୀକ ଲିଙ୍ଗ ଶିବରାତ୍ରିର ମହାନିଶାରେ ପ୍ରକଟ ହେବା ପରେ ଭଗବାନ ବ୍ରହ୍ମା ଓ ବିଷ୍ଣୁ ପ୍ରଥମେ ତାଙ୍କୁ ପୂଜା କରିଥିଲେ ବୋଲି ମାନ୍ୟତା ରହିଛି । କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିରେ ଭଗବାନ ଶିବ ବୈରାଗ୍ୟ ଛାଡ଼ି ଗୃହସ୍ଥ ଜୀବନରେ ପ୍ରବେଶ କରିଥିଲେ ।

ତେଣୁ ପ୍ରତିବର୍ଷ ଶିବ-ଗୌରୀଙ୍କ ବିବାହୋତ୍ସବ ଭାବରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ । ହିନ୍ଦୁ ଧର୍ମରେ ତ୍ରିଦେବଙ୍କ ମଧ୍ୟରେ ଭଗବାନ ବ୍ରହ୍ମାଙ୍କୁ ନିର୍ମାତା, ଭଗବାନ ବିଷ୍ଣଙ୍କୁ ସଂରକ୍ଷକ ଓ ଭଗବାନ ଶିବଙ୍କୁ ବ୍ରହ୍ମାଣ୍ଡୀୟ ବିଘଟନ ଓ ପୁନର୍ଜନ୍ମରେ ତାଙ୍କ ଭୂମିକା ପାଇଁ ପୂଜା କରାଯାଏ ।

ଏହା ପରେ ଭଗବାନ ଶିବଙ୍କ ମଧ୍ୟରେ ଶୁଭ, ପରୋପକାର ଓ ଗଭୀର ଜ୍ଞାନ ସହିତ ଅନ୍ୟ କେତେକ ଗୁଣ ସମାହିତ ହୋଇ ରହିଛି । ତାଙ୍କର ଜଟା, ଜଟାରେ ମାତା ଗଙ୍ଗା, କପାଳରେ ତୃତୀୟ ନୟନ, ତାଙ୍କ କେଶରେ ଶୋଭା ପାଉଥିବା ଅର୍ଦ୍ଧଚନ୍ଦ୍ର ଓ ଗଳାରେ ନାଗସାପ ତାଙ୍କର ପରଲୌକିକ ପ୍ରକୃତି ଓ ସମୟ, ମୃତୁ୍ୟ ଓ ବ୍ରହ୍ମାଣ୍ଡରେ ତାଙ୍କର ପ୍ରଭୁତ୍ୱର ପ୍ରତୀକ । ବର୍ଷରେ ପଡ଼ିଥାଏ ୧୨ଟି ଶିବରାତ୍ରି କିନ୍ତୁ ଫାଲଗୁନ ମାସର ଶିବରାତ୍ରିର ମହତ୍ୱ କେତେ ଗୁଣ ଅଧିକ ରହିଛି । ଏହିଦିନ ଶିବଲିଙ୍ଗ ଉପରେ କ୍ଷୀର, ଦହି, ଜଳ, ପୁଷ୍ପ, ବେଲପତ୍ର, ଦୁଦୁରା ଓ କୋଳି ଆଦି ଦେଇ ତାଙ୍କୁ ପ୍ରସନ୍ନ କରାଯାଏ ।

ଶିବରାତ୍ରି ବ୍ରତ ରଖିଲେ ନର୍କରୁ ମୁକ୍ତି ମିଳେ ଓ ଜୀବନ ପରେ ବୈକୁନ୍ଠ ଧାମକୁ ଯିବାର ସୁଖ ମିଳେ, ସଂସାରରେ ସବୁ ପ୍ରକାରର ଦୁଃଖରୁ ମୁକ୍ତି ମିଳିଯାଏ । କୁମାରୀ କନ୍ୟାମାନେ ଇଚ୍ଛା ମୁତାବକ ବର ପାଇଥାନ୍ତି ବୋଲି ଖାସ୍ ବିଶ୍ୱାସ ରହିଛି ।

ଭୟ ଓ ପାପ ନାଶ କରିବା ପରି ଦ୍ୱିତୀୟ କୌଣସି ବ୍ରତ ନାହିଁ । ତେବେ ଶାସ୍ତ୍ର ଅନୁସାରେ ଏହି ଦିନ ଭୋଳେନାଥଙ୍କ ପୂଜା ପ୍ରଦୋଷ କାଳର ଚତୁର୍ଥ ପ୍ରହରରେ କରାଯାଏ । ମହାଶିବରାତ୍ରି ଆଧ୍ୟାତ୍ମିକ ସାହସ ଓ ସାମାଜିକ ଏକତାର ପ୍ରତୀକ । ଧ୍ୟାନ, ତପ ଓ ନୀତିର ଏହି ପର୍ବକୁ ଲୋକମାନେ ସକାରାତ୍ମକ ପର୍ବ ଭାବରେ ପାଳନ କରନ୍ତି । ଏହି ପର୍ବରେ ସାମୂହିକ ଏକତା ଓ ସେବା ଭାବନା ଉପରେ ଗୁରୁତ୍ୱ ଦିଆଯାଏ । (ସଂଗୃହୀତ)

Leave a Reply

Your email address will not be published. Required fields are marked *