ଓଡ଼ିଶାର ଶିକ୍ଷା ଓ ଶିଶୁଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ
ଭୁବନେଶ୍ୱର, ୨୦/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିନିଧିଦଳ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ନିଜର ପ୍ରକଳ୍ପ ଓ କାର୍ଯ୍ୟାବଳୀ ଉପରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ କଲ୍ୟାଣ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଉପସ୍ଥିତ ଥିଲେ ।
ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଏକ ସ୍ଵେଚ୍ଛାସେବୀ ସଂଗଠନ ଅଟେ । ୬ ମାସରୁ ଆରମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଯତ୍ନ, ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା, ଶିଶୁଙ୍କ ଶାରୀରିକ ମାନସିକ ବିକାଶ ଏବଂ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥାଏ । ସମ୍ପ୍ରତି ଏହି ଅନୁଷ୍ଠାନ ମଧ୍ୟପ୍ରଦେଶର ବିଦିଶା ଠାରେ ଶିଶୁ ଯତ୍ନ ଉପରେ କାର୍ଯ୍ୟ କରୁଛି ଏବଂ ପରୀକ୍ଷାମୂଳକ ଭାବେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଦୁଇଟି ବ୍ଲକରେ ଶିଶୁଙ୍କ ଯତ୍ନ ନିମନ୍ତେ ସ୍ଥାନୀୟ ଅଙ୍ଗନବାଡି ସହ ସମନ୍ଵୟରେ କାର୍ଯ୍ୟ କରୁଛି । ଓଡ଼ିଶା ସରକାରଙ୍କ ସହ ସହଭାଗୀ ହୋଇ ଶିକ୍ଷା ଓ ଶିଶୁଙ୍କ ବିକାଶ ତଥା ଅପପୁଷ୍ଟି ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ବୈଠକରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ, ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ପୂର୍ବ-ଆଞ୍ଚଳିକ ନିର୍ଦ୍ଦେଶକ ସ୍ମୃତି ଦାସ, ସୁବ୍ରତ ସରକାରଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ଉପସ୍ଥାପନା ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।