ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା ଜିଲା କଂଗ୍ରେସ
କେନ୍ଦ୍ରାପଡ଼ା,୨୭/୦୬/୨୦୨୬(ଓଡ଼ିଶା ସମାଚାର)-କଜଳାସ୍ଥିତ କେନ୍ଦ୍ରାପଡା ଜିଲା କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଜସ୍ଥାନର କୋଟାରେ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ବକ୍ତବ୍ୟ ଦେଇଥିଲେ ତାହାର ଝଲକ ପରଦା ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା । କଂଗ୍ରେସ ଜିଲା ସଭାପତି ଡା.ଦେବଶ୍ମିତା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ଯୋଗଦେଇ କହିଲେ ଭାରତର ଶିକ୍ଷା ବ୍ୟବସ୍ଥା ଏବେ ଏକ ଶୋଷଣ କରୁଥିବା ମେସିନରେ ପରିବର୍ତନ ହୋଇଛି । ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇନାହିଁ ।
ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମଗ୍ର ଶିକ୍ଷା ବ୍ୟବସ୍ଥା ଶୋଷଣ ମୂଳକ ଅଟେ । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଯାଇ ଘରୋଇ ଶିକ୍ଷା ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି । ପ୍ରତିବର୍ଷ ୨୨ଲକ୍ଷ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଇଥାନ୍ତି । ଏଥିରେ ୧.୩୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଅର୍ଥ ଭାରତ ସରକାରଙ୍କ ଶିକ୍ଷା ବଜେଟ ସହ ସମାନ । ସେହିପରି ନିଟ୍, ଏସଏସସି, ଆରଆରବି, ୟୁପିଏସସି ଓ ଜେଇଇ ପ୍ରମୁଖ ପରୀକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ବାର୍ଷିକ ୩.୫ଲକ୍ଷ କୋଟି ଖର୍ଚ୍ଚ କରୁଛନ୍ତି । ଏହି ଅର୍ଥ ଭାରତ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ,ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ବଜେଟ ସହ ସମାନ । ଭାରତରେ ଏହିପରି ଭାବେ ଛାତ୍ରଛାତ୍ରୀମାନଙ୍କୁ ଶୋଷଣ କରାଯାଉଛି । ଏହାସତ୍ୱେ ପ୍ରଶ୍ନପତ୍ର ଲିକ ଭଳି ଘଟଣା ଘଟୁଛି ।
ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିବାକୁ ପଛାଉନାହାନ୍ତି । ନିକଟରେ ନିଟ ପ୍ରଶ୍ନପତ୍ର ଲିକ ହେବାରୁ ନାଗପୁରରେ ଆକାଂକ୍ଷା ନାମ୍ନୀ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ଦେଶବାସୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । ଭାରତରେ ଏଭଳି ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଛି ଯେ ଶହେ ଜଣ ଇଞ୍ଜିନିଅରଙ୍କ ମଧ୍ୟରୁ ୮୦ଜଣ ବେକାର ଅଛନ୍ତି । ଛାତ୍ରଛାତ୍ରୀମାନେ ଯେଉଁ ବଡ ସ୍ୱପ୍ନ ଦେଖୁଛନ୍ତି ତାହାକୁ ଆମ ଶିକ୍ଷା ବ୍ୟବସ୍ଥା ଧୂଳିସାତ କରିଦେଉଛି । ତେଣୁ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି । ଜିଲା ସଭାନେତ୍ରୀ ଡା. ଶର୍ମା ନିଟ ପ୍ରଶ୍ନପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂପୃକ୍ତ ଥିବାରୁ ତାଙ୍କ ଇସ୍ତଫା ଦାବି କରିଛନ୍ତି । ସେ କହିଛନ୍ତି ଦେଶରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନର ଆବଶ୍ୟକତା ରହିଛି ।
ଆର.ଜି.ପି.ଏସ.ୱାଇ.ସଂଯୋଜକ ବିଜୟାଲକ୍ଷ୍ମୀ ସାହୁ, ଟିଟିନା ତୟବ ପ୍ରମୁଖ ଯୋଗଦେଇ କହିଲେ ସୀମିତ ସିଟ୍ ଏବଂ ସୀମିତ ପଦବୀ ଯୋଗୁ ଛାତ୍ରଛାତ୍ରୀଙ୍କୁ ବହୁତ କଠିନ ପରିସ୍ଥିତିରେ ସାମ୍ନା କରିବାକୁ ପଡୁଛି । ଭାରତୀୟ ଶିକ୍ଷା ବ୍ୟବସ୍ଥା ଏକ ପ୍ରତ୍ୟାଖ୍ୟାନ ବ୍ୟବସ୍ଥା ଚୟନ ବ୍ୟବସ୍ଥା ନୁହେଁ । ପ୍ରତ୍ୟେକ ଯୁବ ଭାରତୀୟ ଓ ପ୍ରତ୍ୟେକ ଛାତ୍ରଙ୍କୁ ସୁରକ୍ଷା ଦେବା ଭାରତର କର୍ତବ୍ୟ ବୋଲି ସେମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଜିଲା କିଷାନ କଂଗ୍ରେସ ସଭାପତି ଜୟଦେବ ପରିଡା, ଫକୀର ଚରଣ ଖଟୁଆ, ଜୟସ୍ମିତା ମହାନ୍ତି, ରତିକାନ୍ତ କାନୁନଗୋ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ସନ୍ତୋଷ ବେହେରା, ମହମ୍ମଦ ଆକବର ଅଲ୍ଲୀ, ଭାଗିରଥି ଜେନା, ପ୍ରଶାନ୍ତ ରାଉତ, ପ୍ରଫୁଲ୍ଲ ଦାସଙ୍କ ସମେତ ବିଭିନ୍ନ ବ୍ଲକ କଂଗ୍ରେସ ଏବଂ ନଗର କଂଗ୍ରେସ ସଭାପତି ଓ ଜିଲା କଂଗ୍ରେସର କର୍ମକର୍ତାମାନେ ଉପସ୍ଥିତ ଥିଲେ ।
