ଅଂଶୁଘାତଜନିତ ମୃତୁ୍ୟହାର ଶୂନ ରଖିବାକୁ ପ୍ରଶାସନର ଲକ୍ଷ୍ୟ
କଟକ,୨୧/୦୨/୨୦୨୫(ଓଡ଼ିଶା ସମାଚାର)- ଚଳିତ ଗ୍ରୀଷ୍ମ ଋତୁରେ କଟକ ଜିଲାରେ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଆଦେଶନାମା ଅନୁଯାୟୀ ଅଂଶୁଘାତ ମୁକାବିଲା ପାଇଁ ସମ୍ପୃକ୍ତ ଅଧିକାରୀମାନେ ନିଜନିଜ ଭିତରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଜିଲାରେ ଅଂଶୁଘାତ ଜନିତ ମୃତ୍ୟୁହାରକୁ ଶୂନରେ ସୀମିତ ରଖିବା ଜିଲା ପ୍ରଶାସନର ମୂଳଲକ୍ଷ୍ୟ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ପ୍ରକାଶ କରିଛନ୍ତି ।
ଜିଲା କାର୍ଯ୍ୟାଳୟର ଜରୁରୀକାଳୀନ ଉପବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଏଥିନିମନ୍ତେ କାର୍ଯ୍ୟ କରିବା ସହିତ ଜିଲାର ସମସ୍ତ ପୌରପରିଷଦ, ଜିଲା ମୁଖ୍ୟ ଚିକିତ୍ସାଳୟ, ବ୍ଲକ, ତହସିଲ, ଜିଲା ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ, ଟିପିସିଓଡିଏଲ୍ ଆଦି କାର୍ଯ୍ୟାଳୟରେ ଅନୁରୂପ ଭାବେ କଂଟ୍ରୋଲ ରୁମ କାର୍ଯ୍ୟ କରିବା ନିମନ୍ତେ ନିଷ୍ପତି ନିଆଯାଇଛି । ବିଗତ ବର୍ଷମାନଙ୍କରେ ଯେଉଁସ୍ଥାନରେ ବା ଅଂଚଳରେ ଅଂଶୁଘାତ ଜନିତ ସମସ୍ୟା ଦେଖାଦେଇଥିଲା,ସେହି ଅଂଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ସେହି ସ୍ଥାନମାନଙ୍କରେ ସଂପୃକ୍ତ ଅଧିକାରୀମାନେ ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
ଜଳକଷ୍ଟ ଦୂର କରିବା ନିମନ୍ତେ ଯୁଦ୍ଧକାଳୀନ ଭିତିରେ ଅଚଳ ନଳକୂଗୁଡ଼ିକୁ ସଚଳ କରିବା ନିମନ୍ତେ ଜନସ୍ୱାସ୍ଥ୍ୟ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀ ତଥା କଟକ ମହାନଗର ନିଗମ ଅଂଚଳରେ ୱାଟ୍କୋ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ବିଡିଓମାନେ ପାଣି ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଓ ଗ୍ରାମମାନଙ୍କରୁ ପାନୀୟଜଳ ସମସ୍ୟା ସମ୍ବନ୍ଧିତ ଅଭିଯୋଗଗୁଡ଼ିକୁ ଅଗ୍ରାଧିକାର ଭିତିରେ ସମାଧାନ ପୂର୍ବକ ଏଥିସମ୍ବନ୍ଧିତ ତଥ୍ୟ ଜିଲା କାର୍ଯ୍ୟାଳୟକୁ ପ୍ରେରଣ କରିବାକୁ ମଧ୍ୟ ଆଦେଶ ଦିଆଯାଇଛି । ପଂଚାୟତମାନଙ୍କ ପକ୍ଷରୁ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହାୟତାରେ ବସଷ୍ଟାଣ୍ଡ, ହାଟ, ମୁଖ୍ୟଛକ ଜାଗା, ଜନଗହଳି ପୂର୍ଣ୍ଣ ସ୍ଥାନ ଏବଂ ସହରାଂଚଳର ପ୍ରମୁଖ ସ୍ଥଳରେ ଜଳଛତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯିବ ।
ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ସହରରେ ଥିବା ୱାଟର କୁଲର (ଥଣ୍ଡା ପାନୀୟଜଳ ଯୋଗାଉଥିବା ଯନ୍ତ୍ର) ଗୁଡ଼ିକୁ ନିୟମିତ ଯାଂଚ କରାଯାଇ ସେଗୁଡ଼ିକର ଚଳକ୍ଷମ ପ୍ରତି ଧ୍ୟାନ ଦିଆଯିବ । ସେହିରି ଗ୍ରୀଷ୍ମ୍ରବାହ ସମୟରେ ଯେପରି ଲୋଭୋଲଟେଜ ଓ ବିଦୁ୍ୟତ୍ ସରବରାହ ସମସ୍ୟା ନଉପୁଜେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଟିପିସିଓଡିଏଲ୍ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ଦିନ ୧୧ଟା ଠାରୁ ଅପରାହ୍ଣ ୩ ଘଟିକା ମଧ୍ୟରେ ଶ୍ରମିକମାନେ ଶାରୀରିକ ଶ୍ରମ ଭିତିକ କାର୍ଯ୍ୟ ବନ୍ଦ କରିବା , କାର୍ଯ୍ୟସ୍ଥଳୀରେ ପାନୀୟଜଳ ଓ ବିଶ୍ରାମସ୍ଥଳୀ ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶନାମା ଜାରି କରିବାକୁ ପରାମର୍ଶ ଦିଆଯାଇଛି । ଡାକ୍ତରଖାନା ଗୁଡିକରେ ଜୀବନ ରକ୍ଷାକାରୀ ଔଷଧ ,ବରଫ ପ୍ୟାକେଟ, ଓଆରଏସ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ଆବଶ୍ୟକ ସ୍ଥଳେ ଅଂଶୁଘାତ ରୋଗୀଙ୍କୁ ସ୍ଥାନାନ୍ତର ନିମନ୍ତେ ଆମ୍ବୁଲାନ୍ସକୁ ସର୍ବଦା ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ଗ୍ରୀଷ୍ମଋତୁରେ ଜଙ୍ଗଲରେ ଯେପରି ନିଆଁ ନଲାଗେ ସେଥି ପ୍ରତି ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ସର୍ବଦା ସଜାଗ ରହିବା ଲାଗି କୁହାଯାଇଛି ।
ଯାତ୍ରୀବାହୀ ବସଗୁଡ଼ିକରେ ଯଥେଷ୍ଟ ପରିମାଣରେ ବିଶୁଦ୍ଧ ପାନୀୟଜ , ବରଫ ପ୍ୟାକେଟ, ଓଆରଏସ ମହଜୁତ ରଖିବା ସହ ବସ ଚଳାଚଳ ସମୟର ପୁନଃ ନିର୍ଘଂଟ କରିବାକୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ )ଦିବ୍ୟଲୋଚନ ମହନ୍ତ , ସଦର ଉପଜିଲାପାଳ ଜ୍ୟୋତି ଶଙ୍କର ରାୟ, ଆଂଚଳିକ ପରିବହନ ଅଧିକାରୀ ବୀରଂଚି ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲା ଜରୁରୀକାଳିନ ଅଧିକାରୀ ସୁଶ୍ରୀ ନିଷ୍ଠା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
