ମାହାଙ୍ଗା ବ୍ଲକ ପରିସର ପାଲଟିଲା ରଣକ୍ଷେତ୍ର

ଦୁଇଗୋଷ୍ଠୀ ମୁହାଁମୁହିଁ,ପୋଲିସର ଲାଠି ଚାଳନା

ମାହାଙ୍ଗା, ୨୦/୦୨/୨୦୨୫(ଓଡିଶା ସମାଚାର /ଅଭୟ ଜେନା ) – ମାହାଙ୍ଗା ବ୍ଲକରେ ବିକାଶ ମୂଳକ କାର୍ୟ୍ୟ ସଠିକ ଢଙ୍ଗରେ ହୋଇପାରୁନି ବୋଲି ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ ସମିତିସଭ୍ୟ ଏବଂ ଜିଲ୍ଲାପରିଷଦ ସଦସ୍ୟ ମାନେ ଅଭିଯୋଗ ଆଣିଛନ୍ତି । ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ଧାରଣା ଚାଲିଥିବା ବେଳେ, ସମାନ ଅଭିଯୋଗ ଉଠାଇଛନ୍ତି ବିଧାୟକ ଙ୍କ ସମର୍ଥିତ ଜନ ପ୍ରତିନିଧି ।

  ବିଜେଡି ସରକାର ସମୟରୁ ବିଲ୍ ନହୋଇ ପଡିରହିଥିବା ବିଭିନ୍ନ ପ୍ରୋଜେକ୍ଟ ଗୁଡିକର ଯଥାଶୀଘ୍ର ବିଲ୍ କରିବା ପାଇଁ ଧାରଣାରେ ବସିଥିଲା ବେଳେ, ବିଧାୟକ ଙ୍କ ସମର୍ଥକ ମାନେ ପାଲଟା ଅଭିଯୋଗ ଉଠାଇଛନ୍ତି  । ବ୍ଲକରୁ ଚେୟାରମ୍ୟାନ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଏବଂ ରେଜିଷ୍ଟର ନେଇଯାଇଥିବାରୁ ବିକାଶ କାର୍ୟ୍ୟ ବାଧାପ୍ରାପ୍ତ ହେଉଛି ।

ବ୍ଲକ ପରିସରରେ ଉଭୟ ପକ୍ଷଙ୍କ ମଧ୍ୟରେ ଆକ୍ଷେପ ପ୍ରତି ଆକ୍ଷେପ ସୃଷ୍ଟି ହେବା, ଏପରିକି ଚେୟାର ଫିଙ୍ଗା ଫୋପଡ଼ା ଭଳି ଅଭାବନୀୟ ପରିସ୍ଥିତି ଉପୁଯିବା ଦେଖିବାକୁ ମିଳିଥିଲା  ।  ଶାସକ ବିରୋଧୀଙ୍କ ସମନ୍ତରାଳ ଧାରଣା ବେଳେ ସ୍ଥାନୀୟ ଏସଡିପିଓଙ୍କ ଉପରେ ଏକ ଚେୟାର ବାଜିବାରୁ ସେ  ଆହତ ହେବା ସୂଚନା ମିଳିଛି  ।

  ପୋଲିସ ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ମୃଦୁ୍ୟ ଲାଠି ଚାଳନା କରିବା ସହିତ ବାହାର ଲୋକଙ୍କୁ ଧାରଣାସ୍ଥଳୀରୁ ଉଠାଇ ଦେବାରୁ ପରିସ୍ଥିତି ସ୍ୱାଭାବିକ ହେବା ଦେଖିବାକୁ ମିଳିଥିଲା । ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରଏ,ଏସଡିପିଓ ବିରଞ୍ଚି ନାରାୟଣ ପତି, ଆଇଆଇସି ତପନ ରାଉତ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଂଚି  ଥିଲେ ।

ଜିଲ୍ଲା ପ୍ରଶାସନ ଉଭୟ ପକ୍ଷଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ  ଏହାର ସମାଧାନ ସୂତ୍ର ବାହାରିବାକୁ ପ୍ରତିଶୃତି ଦିଆଯାଇଛି । ନୟାଗଡ ବିଧାୟକ ଅରୁଣ ସାହୁ ଙ୍କ ସମେତ ଅନ୍ୟ ନେତା ମାନେ ଧାରଣାରେ ବସିଥିବା ବିଜୁ ଜନତାଦଳ ସମର୍ଥକଙ୍କୁ ଭେଟିଥିଲେ ।   ଉଭୟ ପକ୍ଷଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *