ଶକ୍ତି ମନ୍ତ୍ରୀ ସ୍ୱିକାର କଲେ : ସଚଳ ବିଦ୍ୟୁତ୍ ମିଟରକୁ ବଦଳାଯାଇଛି

ସାରା ରାଜ୍ୟରେ ୨୦୨୪- ୨୦୨୫ ବର୍ଷରେ ୩,୪୬,୩୭୦ଟି ସଚଳ ବିଦ୍ୟୁତ୍ ମିଟର ବଦଳରେ ଡିଜିଟାଲ ମିଟର ସ୍ଥାପନ କରାଯାଇଛି
ବର୍ତମାନ ସୁଦ୍ଧା ରାଜ୍ୟରେ ୧,୨୪,୭୭୭ଟି ପ୍ରି-ପେଡ୍ ମିଟର ସ୍ଥାପନ କରାଯାଇ ସାରିଲାଣି
ଭୁବନେଶ୍ୱର,୨୦/୦୨/୨୦୨୫ (ଓଡ଼ିଶା ସମାଚାର)- ଚଳିତ ଆର୍ଥôକ ବର୍ଷରେ ବିଦ୍ୟୁତ୍ ଗ୍ରାହକମାନଙ୍କର ୩ଲକ୍ଷରୁ ଅଧିକ ସଚଳ ବିଦ୍ୟୁତ୍ ମିଟରକୁ ବଦଳାଯାଇଛି । ଏହା ସ୍ଥାନରେ ଡିଜିଟାଲ ମିଟର ସ୍ଥାପନ କରାଯାଇଛି । ବିଧାସଭାରେ ଏହି ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତରରେ ଶକ୍ତିମନ୍ତ୍ରୀ କହିଛନ୍ତି ଯେ ସାରା ରାଜ୍ୟରେ ୨୦୨୪- ୨୦୨୫ ବର୍ଷରେ ୩,୪୬,୩୭୦ଟି ସଚଳ ବିଦ୍ୟୁତ୍ ମିଟର ବଦଳରେ ଡିଜିଟାଲ ମିଟର ସ୍ଥାପନ କରାଯାଇଛି । ଏହି ତାଲିକାରେ ଗଞ୍ଜାମ ଜିଲାରେ ସର୍ବାଧିକ ୫୬,୪୧୮ଟି ସଚଳ ମିଟର ବଦଳାଯାଇଥିବାବେଳେ ବରଗଡ ଜିଲାରେ ୪୪,୬୪୯, କଳାହାଣ୍ଡି ଜିଲାରେ ୩୪,୬୨୦, ସୁନ୍ଦରଗଡ ଜିଲାରେ ୩୩,୮୯୮, ବଲାଙ୍ଗିର ଜିଲାରେ ୨୩,୭୧୫ଟି ମିଟର ବଦଳାଯାଇଛି ।

ଝାରସୁଗୁଡା ଜିଲାରେ ୧୮,୬୬୩ଟି ସଚଳ ମିଟର ବଦଳରେ ଡିଜିଟାଲ ମିଟର ଲାଗିଥିବାବେଳେ ସବୁଠାରୁ କମ୍ ୬୫୪ଟି ମିଟର ଜଗତସିଂହପୁର ଜିଲାରେ ବଦଳାଯାଇଛି । କେନ୍ଦୁଝର ଜିଲାରେ ଏହି ସଂଖ୍ୟା ୭୦୯ ରହିଛି । ଶକ୍ତିମନ୍ତ୍ରୀ କହିଛନ୍ତି ଯେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିର୍ଦ୍ଧାରିତ ଦର ନିର୍ଦ୍ଧେଶ ଅନୁଯାୟୀ ଗ୍ରାହକଙ୍କୁ ମିଟର ଭଡା ପୈଠ କରବାକୁ ପଡିଥାଏ । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୨୪,୭୭୭ଟି ପ୍ରି-ପେଡ୍ ମିଟର ସ୍ଥାପନ କରାଯାଇ ସାରିଲାଣି ।

Leave a Reply

Your email address will not be published. Required fields are marked *