ନାଲିଆଖି ଦେଖାଇ ଅନଶନକାରୀ ମହିଳାଙ୍କୁ ଉଠାଇଦେଲା ପୋଲିସ
ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ ଅନଶନକାରୀ
କେନ୍ଦ୍ରାପଡ଼ା,୨୫/୦୯/୨୦୨୫(ଓଡ଼ିଶା ସମାଚାର)-ଚଳିତ ସେପ୍ଟେମ୍ବର ୧୮ ତାରିଖରୁ ମଲ୍ଲି ମଳିକ, ଝରଣା ମଳିକ ଓ ସନ୍ଧ୍ୟାରାଣୀ ପଲାଇ ରାଜକନିକା ଥାନା ଅଧିକାରୀଙ୍କ ଅଶାଳୀନ ଭାଷା ପ୍ରୟୋଗ ଓ ଦୁର୍ବ୍ୟବହାର ବିରୁଦ୍ଧରେ କେନ୍ଦ୍ରାପଡା ଏସପିଙ୍କ ଠାରୁ ନ୍ୟାୟ ଭିକ୍ଷା କରି ଏସପିଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିରହିଥିଲେ । ସେହି ଅନଶନକାରୀଙ୍କୁ ସମର୍ଥନ କରି ବିଜୟିନୀ ନାୟକ ଓ ଅଶ୍ୱିନୀ ବାରିକଙ୍କ ସମେତ ଶତାଧିକ ମହିଳା ଅନଶନରେ ସାମିଲ ହୋଇଥିଲେ । ଗୁରୁବାର ସକାଳୁ ଅନଶନକାରୀ ମହିଳା ଝରଣା ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।
ସେ ଡାକ୍ତରଖାନା ଯିବା ପରେ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଏସପିଙ୍କ କାର୍ଯ୍ୟାଳୟର ୮/୧୦ଜଣ ପୋଲିସ୍ ଅଧିକାରୀ ପୋଲିସ ଫୋର୍ସଙ୍କ ସହିତ ଆସି ଅନଶନ କାରୀମାନଙ୍କୁ ଘେରିଯାଇ ଧମକ ଚମକ ଦେବା ସହ ନାଲି ଆଖି ଦେଖାଇ ଜୋର ଜବରଦସ୍ତ ଅନଶନସ୍ଥଳରୁ ଉଠାଇ ଦେଇଥିଲେ । ପୋଲିସ୍ ର ଦଳିତ ମହିଳାମାନଙ୍କ ପ୍ରତି ଏଭଳି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ନାପସନ୍ଦ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜକନିକା ଥାନା
ଅଧିନସ୍ଥ ପେଗରପଡ଼ା ପଂଚାୟତର ବିଧବା ଅନୁସୂଚିତ ଜାତି ମହିଳା ମଲ୍ଲି ମଲିକଙ୍କ ଜମି ଉପରେ ଝରଣା ମଲିକ କ୍ୟାବିନ ଟିଏ ପକାଇ ତେଜରାତି ଦୋକାନ କରି ଜୀବିକା ନିର୍ବାହ କରୁଥିଲେ । କ୍ୟାବିନ ଟିକୁ ସେହି ଗ୍ରାମର ସୁମନ୍ତ ମଲିକ ଓ ତାଙ୍କ ବାପା ନିରଞ୍ଜନ ମଲିକ ଭାଙ୍ଗିଦେଇ ତାଙ୍କ ଦୋକାନ ଚାରିପଟେ କଂଟା ବାଡ଼ ବୁଜିଦେଇଥିଲେ । ଏସମ୍ପର୍କରେ ଜୁଲାଇ ୨୫ ତାରିଖରେ ମଲ୍ଲି ଓ ଝରଣା ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ନ୍ୟାୟ ଭିକ୍ଷା କରିଥିଲେ ।
ସେହି ଗ୍ରାମର ସମାଜସେବୀ ସନ୍ଧ୍ୟାରାଣୀ ପଲେଇ ଉଭୟ ଦଳିତ ମହିଳା ଦ୍ୱୟଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ସହିତ ଥାନା ଅଧିକାରୀଙ୍କ ପାଖକୁ ଯାଇଥିଲେ । କିନ୍ତୁ ଦୁଃଖର କଥା ନ୍ୟାୟ ଦେବା ପରିବର୍ତେ ଥାନାଧିକାରୀ ଶ୍ରୀ ମଲ୍ଲିକ ଏତଲା ନ ରଖି ସେହି ୩ଜଣ ମହିଳାଙ୍କୁ ସର୍ବସମ୍ମୁଖରେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଥାନାରୁ ବିଦା କରିଦେଇଥିଲେ । ତେଣୁ ଅଭିଯୋଗକାରୀ ଦଳିତ ମହିଳା ଦ୍ୱୟ ଥାନା ଅଧିକାରୀଙ୍କ ଆଶାଳୀନ ଦୁର୍ବ୍ୟବହାର ବିରୁଦ୍ଧରେ ଏସପିଙ୍କ ନିକଟରେ ଗୁହାରି କରିଥିଲେ । କିନ୍ତୁ ଏସପି କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେମାନେ ବାଧ୍ୟ ହୋଇ ସେପ୍ଟେମ୍ବର ୧୮ ତାରିଖରୁ ଏସପିଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ।
କିନ୍ତୁ ଆଜି ହଠାତ୍ ଏସପିଙ୍କ ଇଙ୍ଗିତରେ ସଦର ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସମେତ ଏସପିଙ୍କ କାର୍ଯ୍ୟାଳୟର କେତେକ ଅଧିକାରୀ ପୋଲିସ ଫୋର୍ସଙ୍କ ସହାୟତାରେ ଅନଶନକାରୀ ମହିଳାଙ୍କୁ ଜୋର ଜବରଦସ୍ତି ବଳ ପ୍ରୟୋଗକରି ଅନଶନରୁ ଉଠାଇଦେଲେ ବୋଲି ଅନଶନରତ ମଲ୍ଲୀ ମଲିକ, ଝରଣା ମଲିକ ଓ ସନ୍ଧ୍ୟାରାଣୀ ପଲେଇ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଭଳି ପୋଲିସର ବଳ ପ୍ରୟୋଗ ପ୍ରତିବାଦରେ ଅନଶନକାରୀ ଦଳିତ ମହିଳାମାନେ ମାନବାଧିକାର କମିଶନ ଓ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି କମିଶନଙ୍କ ଦ୍ୱାରସ୍ଥ୍ୟ ହୋଇଥିବା ସୂଚନା ଦେଇଛନ୍ତି ।
