ଗରଦପୁର ବ୍ଳକ ଅଂଚଳରେ କାକଟପୁର ମା ମଙ୍ଗଳାଙ୍କ ଘଣ୍ଟ 

ପାଟକୁରା,୦୮/୦୪/୨୦୨୬ (ଓଡିଶା ସମାଚାର )- ଅନେକ କିମ୍ବଦନ୍ତୀ ସମୟ ସ୍ରୋତରେ ବୁଡିଯାଉଥିବା ବେଳେ କାକଟପୁର ମା ମଙ୍ଗଳାଙ୍କ ନୃତ୍ୟ ଘଣ୍ଟ (ଘଣ୍ଟ  ପାଟୁଆ) ଆଜି ଦିନରେ ମଧ୍ୟ୍ୟ ଗାଁ ଗହଳିରେ ଦେଖିବାକୁ ମିଳୁଛି ।  କାଠ ତିଆରି ରୂଖା ଉପରେ ଥିବା ପଞ୍ଚମୁଖୀ କଳସ ଉପରେ ମା ମଙ୍ଗଳା ଆସୀନ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି ।   କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ରୁ ଆସିଥିବା ରାହୁଳ ସୁକାନ୍ତ ଦାଶ ବିଭିନ୍ନ ରଙ୍ଗୀନ ପାଟଲୁଗା ପିନ୍ଧି ଆଜି ଗରଦପୁର ବ୍ଳକ ବେଡାରୀ ଗ୍ରାମରେ ମା ମଙ୍ଗଳାଙ୍କ ନୃତ୍ୟ ଘଣ୍ଟ କରିଥିଲେ ଓ ଶ୍ରଦ୍ଧାଳୁମାନଙ୍କ ସୁଖ ସମୃଦ୍ଧି କାମନାକରି ମାଙ୍କ ନିକଟରେ ଗୁହାରି ହୋଇଥିଲେ ।

 ଆଜି ମଙ୍ଗଳାଙ୍କ ଘଣ୍ଟ ଗାଁକୁ ଆସିବ ବୋଲି ପୂର୍ବାହ୍ନରେ ଘଣ୍ଟ ବଜାଇ ଦୁଇଜଣ ନନା ଜଣାଇ ଦେଇଥିଲେ ।  ତଦନୁଯାଇ ଗ୍ରାମର ସମସ୍ତେ ମା ମଙ୍ଗଳାଙ୍କ ପାଇଁ ଭୋଗ ପ୍ରସ୍ତୁତ କରି ଦୀପ, ଧୂପ, ନିଜର ଚଉରା ପାଖରେ ସଜାଇ ରଖିଥିଲେ ।  ମଙ୍ଗଳାଙ୍କୁ ମୁଣ୍ଡରେ ଥୋଇ ନୃତ୍ୟ କରୁଥିବା ରାହୁଳଙ୍କ ପାଦକୁ ହଳଦୀ ପାଣିରେ ଧୋଇଦେଇଥିଲେ ।  ଶ୍ରଦ୍ଧାଳୁ ମାନେ ମା ମଙ୍ଗଳାଙ୍କୁ ଭୂମିଷ୍ଟ ପ୍ରଣାମ କରି ନିଜ ପିଲାମାନଙ୍କର ମଙ୍ଗଳ ପାଇଁ ମା ଙ୍କୁ ଜଣାଉଥିବା ବେଳେ ରାହୁଳ ମଧ୍ୟ ପିଲାମାନଙ୍କର ମଙ୍ଗଳ ପାଇଁ ମା ଙ୍କୁ ଜଣାଉଥିଲେ ।  ସମସ୍ତଙ୍କ ମୁଣ୍ଡରେ ମାଙ୍କ ସିନ୍ଦୁର ଲଗାଇଦେଇ ହାତରେମଧ୍ୟ ପାଦୁକ ପାଣି ଦେଉଥିଲେ ।  ଅତ୍ୟନ୍ତ ଶ୍ରଦ୍ଧାର ସହ ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରିଥିଲେ ଓ ରାହୁଳ ନନା ରୂଖା ଉପରେ ପଞ୍ଚମୁଖୀ କଳସରେ ଆସୀନ ମା ମଙ୍ଗଳାଙ୍କୁ ମୁଣ୍ଡରେ ଥୋଇ ଘଣ୍ଟ ବାଦ୍ୟର ତାଳେ ତାଳେ ନୃତ୍ୟ କରିବା ମଧ୍ୟ ଦର୍ଶନ କରିଥିଲେ ।

 କାକଟପୁର ମା ମଙ୍ଗଳାଙ୍କ ଦର୍ଶନ ସତେ ଯେପରି ମନ୍ଦିର ମଧ୍ୟରେ କରୁଛନ୍ତି ସେପରି ଭାବନା ମନରେ ଜାଗ୍ରତ ହୋଇଥିବା କଥା ଅନେକ ଶ୍ରଦ୍ଧାଳୁ ପ୍ରକାଶ କରିଛନ୍ତିକ୍ଷ ମା ମଙ୍ଗଳାଙ୍କ ନୃତ୍ୟଘଣ୍ଟ ସଂକ୍ରାନ୍ତରେ ଥିବା ଧର୍ମୀୟ ତଥ୍ୟ ଉପରେ କୁଜଙ୍ଗ ଥାନା ଚଟୁଆ ଗାଁ ର ରାହୁଳ ନନା ସୁକାନ୍ତ ଦାଶ (ରାହୁଳ )ଙ୍କୁ ଶ୍ରଦ୍ଧାର ସହ ପ୍ରଶ୍ନ କରାଯାଇଥିଲା ।  କିମ୍ବଦନ୍ତୀ ଅନୁଯାଇ ରାହୁଳ ନନା କହିଥିଲେ ଯେ ବର୍ଷକ ବାର ମାସରୁ ଏଗାର ମାସ ମା ମଙ୍ଗଳା ମନ୍ଦିର ରେ ରହି ପୂଜା ପାଆନ୍ତି ଓ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିରଯାଇ ମା ଙ୍କୁ ଦର୍ଶନ କରି ହାରିଗୁହାରି ଜଣାନ୍ତି କ୍ଷ କିନ୍ତୁ ଗୋଟିଏ ମାସ ପାଇଁ ଦେଶକୁ ବିପଦ ଆପଦ ପଡେ ବୋଲି ମା ମଙ୍ଗଳା ଭ୍ରମଣରେ ଆସି ତାଙ୍କ ଭକ୍ତମାନେ କିଭଳି ଅଛନ୍ତି ନିଜେ ଦେଖି ଯାଆନ୍ତି ।  ମୀନ ସଂକ୍ରାନ୍ତିରୁ ପଣା ସଂକ୍ରାନ୍ତି ପର୍ୟ୍ୟନ୍ତ ଏକମାସ ଏଥିପାଇଁ ସମୟ ନିର୍ଘଣ୍ଟ କରାଯାଇଛି ।

ଏହି ସମୟରେ ରାହୁଳ ମା ମଙ୍ଗଳାଙ୍କୁ ରୂଖାଉପରେ ବସାଇ ଗାଁ କୁ ଗାଁ ବୁଲି ନୃତ୍ୟ ଘଣ୍ଟ କରାନ୍ତି କ୍ଷ ଅତ୍ୟନ୍ତ କାଷ୍ଟ ସହକାରେ ଖାଲିଗୋଡ଼ରେ ଠାକୁରଙ୍କୁ ନେଇ ଲୋକଙ୍କୁ ଦର୍ଶନ ଦିଆନ୍ତି ।  ଭ୍ରମଣ ସାରି ପଣା ସଂକ୍ରାନ୍ତି ପୂର୍ବ ଦିନ ମାସନ୍ତରେ ଠାକୁର ମନ୍ଦିରରେ ପ୍ରବେଶ କରି ସେଠାରେ ଅବସ୍ଥାନ କରି ପରଦିନ ପଣା ସଂକ୍ରାନ୍ତି ଝାମୁ ଘଣ୍ଟରେ ଭାଗ ନିଅନ୍ତି ।  ତା ପରେ ପ୍ରତିଷ୍ଠା ହୋଇ ମନ୍ଦିରରେ ବିରାଜମାନ କରାନ୍ତି ।  ସୁକାନ୍ତ ରାହୁଳ କୁହନ୍ତି ଯେ ଏହି ପରମ୍ପରା ତାଙ୍କର ୫୦ ପିଡିର ପରମ୍ପରାକ୍ଷ ତାଙ୍କ ବାପା ରଘୁ ଦାଶ, ଜେଜେ ମଦନ ଦାଶ, ଅଣଜେଜେ ଅଭିନ ଦାଶ ଏହି ବୃତ୍ତିରେ ମା ମଙ୍ଗଳାଙ୍କ ଠାରେ ସମର୍ପିତ ଥିଲେ ବୋଲି ତାଙ୍କ ଠାରୁ ଜାଣିଥିଲେ ।  ମା ମଙ୍ଗଳାଙ୍କୁ କାନ୍ଧରେ ରଖି ଗାଁକୁ ଗାଁ ଖାଲି ପାଦରେ କାଷ୍ଟାର ବୁଲିବା କଷ୍ଟକର କାର୍ୟ୍ୟ ହୋଇଥିଲେ ସୁଦ୍ଧା ମା ଙ୍କ କୃପା ପାଇଁ ସେସବୁ କଷ୍ଟ ଜଣାପଡ଼େନାହିଁ ବୋଲି ରାହୁଳ ନନା ସୁକାନ୍ତ ଦାଶ କହିଛନ୍ତି ।  ତାଙ୍କର ୫୦ପୀଡିର ପରମ୍ପରାକୁ ସେ ଶ୍ରଦ୍ଧାର ସହ ଜାବୁଡି ଧରି ବଞ୍ଚାଇ ରଖିଥିବାରୁ ବହୁତ ଖୁସି ବୋଲି ମାତବ୍ୟକ୍ତ କରିଛନ୍ତି ।  ତାଙ୍କ ସହିତ ଘଣ୍ଟୁଆ ସତ୍ୟରଞ୍ଜନ ପଣ୍ଡା ଓ ଘଣ୍ଟୁଆ ହରପ୍ରସାଦ ରାହୁଳ ମଧ୍ୟ ମା ଙ୍କ ଭ୍ରମଣରେ ସହାୟତା କରୁଛନ୍ତି ।

Leave a Reply

Your email address will not be published. Required fields are marked *