ଜଗତସିଂହପୁର, ୨୦/୦୨/୨୦୨୫ (ଓଡ଼ିଶା ସମାଚାର)- ଏରସମା ବ୍ଲକ ଅନ୍ତର୍ଗତ ଓଲରା ସ୍ଥିତ ବୀଣାପାଣି ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ଵାଗତ ଭାଷଣ ଦେଇଥିଲେ । ଏହା ପରେ ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଇନ ସହିତ ସଂଘର୍ଷରେ ଥିବା ପିଲାଙ୍କ ଯତ୍ନ ଏବଂ ସୁରକ୍ଷା ପାଇଁ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ ପ୍ରଣୟନ କରାଯାଇଛି । କେବଳ ଦଣ୍ଡ ବଦଳରେ ପୁନର୍ବାସ ଏବଂ ପୁନଃମିଶ୍ରଣ ଉପରେ ଧ୍ୟାନ ଦେଇ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ୧୬ ରୁ ୧୮ ବର୍ଷ ବୟସ୍କ ନାବାଳକମାନଙ୍କ ଦ୍ୱାରା ହୋଇଥିବା କିଛି ଜଘନ୍ୟ ଅପରାଧର ବିଚାର ପାଇଁ ବ୍ୟବସ୍ଥା ମଧ୍ୟ ପ୍ରଚାଳନ କରାଯାଇଛି । ଶେଷରେ ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।
