ସାତ ଦିନ ପରେ ଉଦ୍ଧାର ହେଲେ ନିମା ନନ୍ଦ ପ୍ରଧାନ

ବଡ଼ବିଲ ୧୮/୦୨/୨୦୨୫ (ଓଡ଼ିଶା ସମାଚାର)-  ଖଣି କମ୍ପାନୀ ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ୍ ମେଟାଲ୍ସ ଭି. ପି.  (Vice President) ନିମାନନ୍ଦ ପ୍ରଧାନ ଅପହରଣର ୭ ଦିନ ପରେ ଉଦ୍ଧାର ହୋଇଛନ୍ତି ।  ଡ୍ରାଇଭର ଫିରୋଜ୍ ଏବଂ ଡଷ୍ଟର ଗାଡ଼ି ମଧ୍ୟ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ନିମାନନ୍ଦଙ୍କୁ କେଉଁଠାରୁ ଓ କିପରି ଉଦ୍ଧାର କରାହେଲା ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ସେପଟେ ପୁରା ଘଟଣା ସମ୍ପର୍କରେ ଡ୍ରାଇଭର ଫିରୋଜ୍ କୁ ଅଧିକ ପଚରା ଉଚରା ଜାରି ରହିଛି । ନିମାନନ୍ଦ ଗତ ୧୨ ତାରିଖ ସନ୍ଧ୍ୟାରେ ଅଫିସରୁ କାର୍ ଯୋଗେ ଘରକୁ ଯିବାବେଳେ ବାଟରୁ ତାଙ୍କୁ ଅପହରଣ କରାଯାଇଥିଲା । ଏହି ଘଟଣାର ଖୁଲାସା କରିବା ନେଇ ପୋଲିସ୍ ପକ୍ଷରୁ ଏକ ପ୍ରେସ୍ ମିଟ୍ କରିବାର ସମ୍ଭାବନା ରହିଛି ।

ଗତ ୧୨ ତାରିଖ ବୁଧବାର ସନ୍ଧ୍ୟା ପ୍ରାୟ ୭ ଟା ୨୦ ମିନିଟ୍ ସମୟରେ ଡ୍ରାଇଭର ଏମ୍ ଡି ଫିରୋଜ୍ ଙ୍କ ସହ OD 33 K 7223 ଡଷ୍ଟର୍ କାର୍ ଯୋଗେ ବଡ଼ବିଲ ସିନେମାହଲ ରୋଡ୍ ସ୍ଥିତ କମ୍ପାନୀ କାର୍ଯ୍ୟାଳୟରୁ ଘରକୁ ଯିବାପାଇଁ ବାହାରିଥିଲେ ନିମାନନ୍ଦ । ଅନେକ ସମୟ ପରେ ବି ସେ ଘରକୁ ନ ଫେରିବାରୁ ପତ୍ନୀ ସୁଜାତା ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ନିମାନନ୍ଦଙ୍କ ଫୋନ୍ ସୁଇଚ୍ଡ ଅଫ୍ ରହିଥିଲା ବେଳେ, ଡ୍ରାଇଭର ଫିରୋଜ୍ ଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା ।  ପରେ ସାଙ୍ଗ ସାଥୀ ଓ ଅନ୍ୟ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ପରେ ବି କିଛି ସନ୍ଧାନ ନ ମିଳିବାରୁ ଥାନାରେ ଅଭିଯୋଗ ହୋଇଥିଲା ।  ଏତଲା ପରେ ବଡ଼ବିଲ ପୋଲିସ୍ ତନାଘନା ଆରମ୍ଭ କରିଥିଲା ।  ଫୋନ୍ ର ଲାଷ୍ଟ ଲୋକେସନ୍ ଝାଡ଼ଖଣ୍ଡର ବଡ଼ଜାମଦା ଅଞ୍ଚଳରେ ରହିଥିଲା ।  ଫୋନ୍ କଲ୍ ଡିଟେଲ୍ସ, ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ କୁ ଯାଞ୍ଚ କରିବା ସହ ଝାଡ଼ଖଣ୍ଡ ପୋଲିସର ସହାୟତା ମଧ୍ୟ ନିଆଯାଇଥିଲା । ଘଟଣାକୁ ଗୁରୁତ୍ଵ ଦେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ବଡ଼ବିଲରେ ଡେରା ପକାଇ ତଦନ୍ତକୁ ନିଜେ ତଦାରଖ କରୁଥିବାବେଳେ, ଜିଲ୍ଲାର ବଛାବଛା ପୋଲିସ୍ ଅଫିସରଙ୍କୁ ତଦନ୍ତରେ ନିୟୋଜିତ କରାଯାଇଥିଲା ।

ତେବେ ଏହା ପଚ୍ଛ ରେ କାରଣ କ’ଣ ରହିଥିଲା ? ଅପହର୍ତ୍ତାକାରୀ କିଏ ? ଏବଂ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଯାଇଥିଲା ? ଟଙ୍କା ପାଇଁ ତାଙ୍କୁ ମୁଣ୍ଡ ଜାମିନ ରଖା ଯାଇଥିଲା କି ? ନା ଆଉ କିଛି କାରଣ ?

ପୋଲିସ୍ ଏସବୁର ଖୁଲାସା କରିବା ପରେ ତାହା ସ୍ପଷ୍ଟ ହୋଇପାରିବ ।

Leave a Reply

Your email address will not be published. Required fields are marked *