ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଫୁଲବାଣୀ ୧୮/୦୨/୨୦୨୫(ଓଡ଼ିଶା ସମାଚାର)- କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକର ବିଡ଼ିଓ ଶୁଭ ଦତାତ୍ରେୟ ବାହିନୀପତି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରି ଏକ ମାସ ନ ପୁରୁଣୁ ଜନସାଧାରଣଙ୍କ ଠାରେ ପ୍ରଶଂସା ସାଉଁଟୁ ଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ବିଡ଼ିଓଙ୍କୁ ଜଣେ କାର୍ଯ୍ୟଦକ୍ଷତା ଅଫିସର ବୋଲି ବୁଦ୍ଧିଜୀବି ମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଗତ ଜାନୁୟାରୀ ମାସ ୨୦ ତାରିଖରେ ବିଡ଼ିଓ ଶ୍ରୀ ବାହିନୀପତି ଖଜୁରୀପଡ଼ା ବ୍ଲକର ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ଦିନ ଠାରୁ ହିଁ ତଦାରଖ କାର୍ଯ୍ୟ ଆରମ୍ଭ କରିଥିଲେ ।
ସରକାରଙ୍କ ସମସ୍ତ ଜନହିତକର ଯୋଜନାକୁ ସଠିକ୍ ଭାବେ ପରିଚାଳିତ ହୋଇ ଜନସାଧାରଣଙ୍କ ହିତରେ ଲାଗିବ ଓ ଖଜୁରୀପଡ଼ା ବ୍ଲକର ବିକାଶ ହୋଇ ଗାଁର ବିକାଶ ହେବ ଏହି ସଂକଳ୍ପ ବିଡ଼ିଓଙ୍କ କାର୍ଯ୍ୟକଳାପରୁ ଅନୁମାନ କରିଛନ୍ତି ବୁଦ୍ଧିଜୀବି । ପ୍ରତିଦିନ ବିଭିନ୍ନ ପଂଚାୟତର ଗାଁ ଗୁଡ଼ିକୁ ଘନ ଘନ ଗସ୍ତ କରି ଏରିଆ ପରିଦର୍ଶନ କରିବା ସହିତ ଚାଲୁ ରହିଥିବ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ଦେଖିବକୁ ମିଳୁଛି । ଏହି ପରିପ୍ରେକ୍ଷିରେ ୧୬ ତାରିଖ ରବିବାର ସରକାରୀ ଛୁଟି ଦିନ ଥିଲେ ମଧ୍ୟ ବ୍ଲକର ଅପହଂଚ ଇଲାକା ବିଲାବାଡ଼ି ପଂଚାୟତକୁ ଗସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି ଦେଖିଥିବା ଜଣାପଡିଛି ।
ସେ ପ୍ରଥମେ ପ୍ରକଡ଼ାଝର ଜଳ ପ୍ରାତ ପର୍ଯ୍ୟଟନ କେନ୍ଦ୍ର ସ୍ଥଳୀର ବିକାଶର ସମୀକ୍ଷା କରିଛନ୍ତି । ଏହି ପର୍ଯ୍ୟଟନ କେନ୍ଦ୍ର ସ୍ଥଳୀର ଉନ୍ନତି କରଣ ପାଇଁ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ହୋଇଥିଲେ ମଧ୍ୟ ବନ ବିଭାଗ ଉକ୍ତ ଉନ୍ନତି ମୂଳକ କାର୍ଯ୍ୟକୁ ଅଟକାଇ ରଖିଥିବା ଫଳରେ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ ।ସେ ନେଇ ଏହାର ସମାଧାନ ନିମନ୍ତେ ବିଡ଼ିଓ ଚିନ୍ତା କରିଥିବା ଏହି ପରିଦର୍ଶନ ରୁ ଜଣାପଡ଼ିଛି । ଏହାପରେ ସେ ବିଲାବାଡ଼ି ପଂଚାୟତ ଅଂଚଳ ଭିତରକୁ ଗସ୍ତକରି ତୁତୁମ୍ ସିଙ୍ଗ ଠାରେ ନିର୍ମାଣଧିନ ଏକ କଲଭଟ କାର୍ଯ୍ୟକୁ ଦେଖି ଉନ୍ନତ ମାନର କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ମେଶିନାରି କାମରେ ଆବଶ୍ୟକ ପରିମାଣର ପାଣି ପକାଇବାକୁ ନିର୍ଦେଶ ଦେଇଥିଲେ ।
ଲେବର ପେମେଂଟ ନିତି ନିୟମ ପ୍ରକାରେ ଠିକ୍ ଭାବେ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।
ଏହାପରେ ଦଙ୍ଗା ଗ୍ରାମକୁ ଯାଇଥିଲେ ସେଠାରୁ ଫେରି କିଲୁ ଗ୍ରାମକୁ ପରିଦର୍ଶନ କରି ଲୋକଙ୍କୁ ଭେଟି ସରକାରୀ ଯୋଜନାର ସଠିକ୍ ପରିଚାଳନା ଉପରେ ଓ ସମସ୍ୟା ଉପରେ ପଚାରି ବୁଝିଥିଲେ । ବିଲାବାଡ଼ି ପଂଚାୟତ କାର୍ଯ୍ୟାଳୟକୁ ଯାଇ ସେଠାରୁ ଫେରି ସୁଡୁକୁମ୍ପା ପଂଚାୟତର ଇନ୍ଦ୍ରଯଜ୍ଞ ମଣ୍ଡପକୁ ଦେଖିଥିଲେ । ବିଡ଼ିଓଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ସ୍ନେହଲତା ପାତ୍ର,ସହକାରୀ ଯନ୍ତ୍ରୀ ଶୁଭସ୍ମିତା ନାଥ, ବିଲାବାଡ ପଂଚାୟତ ସରପଂଚ ରବୀନ୍ଦ୍ର ଭୁକ୍ତା,ବରିଷ୍ଠ ଠିକାଦାର ପ୍ରସନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଡ଼ିଓ ଏଭଳି ଗୋଟିଏ ଦିନରେ ବିଭିନ୍ନ ଅଂଚଳକୁ ଗସ୍ତକରି ଗାଁର ସମସ୍ୟାର ସମାଧାନ କରିବା ଲକ୍ଷ୍ୟରେ ଏକ ଆକସନ୍ ମୋଡରେ ରହୁଥିବା ଜଣାପଡୁଛି । ଏହି କମ୍ ଦିନ ମଧ୍ୟରେ ବିଡ଼ିଓ ଙ୍କ ଏହି କାର୍ଯ୍ୟକଳାପ କର୍ମଚାରୀଙ୍କ ମନରେ ଛନକା ପକାଇ ଦେଇଛି । ଅନ୍ୟ ପକ୍ଷରେ ଉତମ ବ୍ୟବହାର ସହିତ ଲୋକଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇ ସମସ୍ତଙ୍କ ମନ ଜିଣୁଥିବା ଜାଣିବାକୁ ମିଳିଛି ।