ସାରସ୍ୱତ ସାଧିକା ମନୋରମାଙ୍କ ବ୍ୟକ୍ତିତ୍ୱ ଥିଲା ପ୍ରଭାବଶାଳୀ

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ତୈଳଚିତ୍ର ଉନ୍ମୋଚନ
କଟକ ୧୭/୦୨/୨୦୨୫(ଓଡ଼ିଶା ସମାଚାର)- ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଂପାଦିକା, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ତଥା ସମାଜର ପୂର୍ବତନ ସଂପାଦିକା ମନୋରମା ମହାପାତ୍ର ଥିଲେ ସରସ୍ୱତ ପ୍ରତିଭାର ଅଧିକାରିଣୀ । ତାଙ୍କ ରଚନା ଓ ବକ୍ତବ୍ୟ ଥିଲା ବେଶ୍ ପ୍ରଭାବଶାଳୀ । ସମ୍ବାଦପତ୍ରର ସଂପାଦନା ଓ ସାରସ୍ୱତ ସାଧନା ପାଇଁ ସେ ସଦା ସ୍ମରଣୀୟ ହୋଇ ରହିବେ ବୋଲି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସାରସ୍ୱତସାଧିକା ମନୋରମା ମହାପାତ୍ରଙ୍କ ତୈଳଚିତ୍ର ଉନ୍ମୋଚନ ଉତ୍ସବରେ ଯୋଗଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।

ଶନିବାର ସଂଧ୍ୟାରେ ଉତ୍କଳ ସାହିତ୍ୟ ସମାଜର ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ କଟକ ସାଂସଦ ଭର୍ତୃହରି ମହତାବ ଶ୍ରୀମତୀ ମହାପାତ୍ରଙ୍କ ସହ ଥିବା ଘନିଷ୍ଠ ସଂପର୍କ ଉଲ୍ଲେଖ କରି ତାଙ୍କର ସାଧନାମୟ ଜୀବନର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାରସ୍ୱତ ସାଧକ ଦାଶ ବେନହୁର ମନୋରମା ଦେବୀଙ୍କ ବ୍ୟକ୍ତିତ୍ୱ ସାରସ୍ୱତ ସାଧନା ବିଶେଷ କରି ଶିଶୁସାହିତ୍ୟ କ୍ଷେତ୍ରରେ ତାଙ୍କର ଯୋଗଦାନ ସଂପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟବକ୍ତା ବିଶିଷ୍ଟ ସାମ୍ବାଦିକ ଡକ୍ଟର ସତ୍ୟ ରାୟ ସାମ୍ବାଦିକତା ଓ ସେବାକ୍ଷେତ୍ରରେ ଶ୍ରୀମତୀ ମନୋରମା ମହାପାତ୍ରଙ୍କ ଅବଦାନ ସଂପର୍କରେ ଉଲ୍ଲେଖ କରିଥିଲେ । ମନୋରମା ମହାପାତ୍ରଙ୍କ ସୁକନ୍ୟା ଶ୍ୱେତପଦ୍ମା ଦାଶ ମା’ଙ୍କ ସହ ଅନୁଭୂତିକୁ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୈଳଚିତ୍ର ଉନ୍ମୋଚନ ଉଚ୍ଛ୍ସବରେ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ । ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଅତିଥିଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଦିଲୀପ ଦାସ ଓ ଧନ୍ୟବାଦ ପ୍ରଦାନ କରିଥିଲେ ବ୍ରହ୍ମାନନ୍ଦ ମହାନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ପ୍ରଦୀପ କୁମାର ମହାପାତ୍ର ଓ ଜ୍ୱାଇଁ ଜ୍ଞାନରଂଜନ ଦାସ, ଉତ୍କଳ ସାହିତ୍ୟ ସମାଜର ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, କୋଷାଧ୍ୟକ୍ଷ ଶିବାଶିଷ କର, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଶଶିକାନ୍ତ ରାଉତ, ରାଧାଶ୍ୟାମ ରାଉଳ, ମୁରଲୀଧର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ଶରତ ଚନ୍ଦ୍ର ଶତପଥୀ ଓ ସୁଧୀରରଂଜନ ଦାଶ ।

Leave a Reply

Your email address will not be published. Required fields are marked *