୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର,୧୭/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ସଂକଳ୍ପ ପଦଯାତ୍ରା । ଭୁବନେଶ୍ୱର ବିମାନବନ୍ଦରରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ । ଏହାପରେ ଲିଙ୍ଗି ପୁରରୁ ପିପିଲି ଚନ୍ଦନପୁର ଦେଇ ପୁରୀ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯିବ । ଫେବୃଆରୀ ୨୦ ତାରିଖ ଯାଏଁ ଚାଲିବ କଂଗ୍ରେର ଏହି ସଂକଳ୍ପ ପଦଯାତ୍ରା । ସଫଳ ଓଡ଼ିଶାର ରୂପାୟନ ସହ ଓଡ଼ିଶାର ଉନ୍ନତି କାମନା କରି ଏହି ପଦଯାତ୍ରା କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି ।

ଏଥିରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ହେବେ । ଆସନ୍ତା ୨୦ରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେବ ଦଳ । ଏନେଇ ରବିବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂକଳ୍ପ ପଦଯାତ୍ରା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ନୂତନ ପିସିସି ସଭାପତି ଭକ୍ତଚରଣ ଦାସ ଦାୟିତ୍ୱ ନେବା ପୂର୍ବରୁ ଭୁବନେଶ୍ୱରରୁ ପୁରୀ ପଦଯାତ୍ରା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷାକରିବେ । ପରେ ସେ ଦାୟିତ୍ୱ ଗ୍ରହଣ କରିବେ । ସଂକଳ୍ପ ପଦଯାତ୍ରା ଆସନ୍ତା ୧୮ତାରିଖ ଦିନ୧୦ରୁ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଶିଶୁଭବନ, ରାଜମହଲ, କଳ୍ପନା, ରବି ଟକିଜ୍ ଦେଇ ଲିଙ୍ଗିପୁର ଠାରେ ଦିନ ୧ଟାରେ ପହଂଚିବ ।

ସେଠାରେ ମଧ୍ୟାହ୍ନଭୋଜନ ବିରତି ପରେ ସେଠାରୁ ପଦଯାତ୍ରା ପୁନର୍ବାର ଆରମ୍ଭହୋଇ ପିିଲିଠାରେ ପହଂଚି ସେଠାରେ ରାତ୍ରିଯାପନ କରାଯିବ । ୧୯ତାରିଖ ସକାଳ ୭ଟାରେ ସଂକଳ୍ପ ପଦଯାତ୍ରା ପିିଲିଠାରୁ ଆରମ୍ଭହୋଇ ତେଇସି ପୁରଠାରେ ପହଂଚିବ । ମଧ୍ୟାହ୍ନଭୋଜନ ଓ ବିରତି ପରେ ପୁନର୍ବାର ପଦଯାତ୍ରା ଆରମ୍ଭ ହୋଇ ଚନ୍ଦନପୁରଠାରେ ରାତ୍ରିଯାପନ କରାଯିବ । ସେହିଭଳି ୨୦ତାରିଖ ସକାଳେ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟ ମଙ୍ଗଳାଠାରେ ମଧ୍ୟାହ୍ନଭୋଜନ କରିବା ପରେ ଅପରାହ୍ଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକରି ଆଶୀର୍ବାଦ ଭିକ୍ଷା କରିବେ ଭକ୍ତଚରଣ ଦାସଙ୍କ ସହ ଅନ୍ୟ କଂଗ୍ରେସ ନେତୃବୃନ୍ଦ । ଶ୍ରୀମନ୍ଦିରରୁ ଦର୍ଶନ କରି ଫେରିଲା ପରେ ପିସିସି ସଭାପତି ଶ୍ରୀ ଦାସ ବଡ଼ଦାଣ୍ଡରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲା ସଭାପତି ବିଶ୍ୱଜିତ୍ ଦାସ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ୟାସିର ନୱାଜ, ରଞ୍ଜିତ ପାତ୍ର, ମନୋଜ ଜେନା ଓ ଉଦିତ ପ୍ରଧାନ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *