ସେବାୟତ ପ୍ରିମିୟର୍ ଲିଗ୍ କ୍ରିକେଟ୍ ୧୫ରୁ

ପୁରୀ,୧୪/୦୨/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ଫେବୃଆରୀ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ହେବ ସେବାୟତ ପ୍ରିମିଅର୍ ଲିଗ୍ କ୍ରିକେଟ । ଶ୍ରୀମନ୍ଦିର ଟ୍ରଫି ନାମରେ ଆୟୋଜିତ ଏହି କ୍ରୀଡାରେ ୧୪ଟି ଟିମ୍ ସାମିଲ ହେବେ ଓ ଭାଗ ନେବେ ୨୨୪ ଜଣ ଶ୍ରୀମନ୍ଦିର ସେବାୟତ ଖେଳାଳି । ସର୍କିଟ ହାଉସ ଠାରେ ପ୍ରେସ ମିଟ ମାଧ୍ୟମରେ ଟ୍ରଫି ଓ ଜର୍ସି ଉନ୍ମୋଚନ ହୋଇଥିଲା । ଛତିଶା ନିଯୋଗ ର ୧୪ ନିଯୋଗ ଏହି ଲିଗ୍ ରେ ଭାଗ ନେଉଥିବା ବେଳେ ସମସ୍ତ ଟିମ ପାଇଁ ସ୍ୱତନ୍ତ୍ର ଜର୍ସି ବ୍ୟବସ୍ଥା ହୋଇଛି ।

ଛତିଶା ନିଯୋଗ ପକ୍ଷରୁ ଆୟୋଜିତ ଏହି ଲିଗକୁ ଜିଲା ପ୍ରଶାସନ ସହଯୋଗ କରୁଛନ୍ତି । ଚାମ୍ପିିଅନ ଟିମ୍ ପାଇଁ ୨୦ ହଜାର, ରନର୍ସ ଅପ୍ ପାଇଁ ୧୫ ହଜାର, ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଯଥାକ୍ରମେ ୧୦ ହଜାର ଓ ୫ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ର ବ୍ୟବସ୍ଥା ରଖାଯାଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ଲିଗ୍ ଦିବା ରାତ୍ର ବିଶିଷ୍ଟ ହେବ । ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ହେବ ।

ପ୍ରତ୍ୟେକ ଲିଗ୍ ମ୍ୟାଚ୍ ୧୫ ଓଭର୍ ବିଶିଷ୍ଟ ଓ ସେମି ଫାଇନାଲ, ଫାଇନାଲ ମ୍ୟାଚ ୨୦ ଓଭର ବିଶିଷ୍ଟ ହେବ । ସେବାୟତ ମାନଙ୍କ ଭିତରେ ଏକତ୍ୱ, ଭାଇଚାରା ଓ ଅଙ୍ଗୀକାରବଦ୍ଧତା ଏହି କ୍ରିକେଟ ଲିଗ୍ ର ଉଦ୍ଧେଶ୍ୟ ରହିଛି ବୋଲି ସେବାୟତ ନିଯୋଗର କର୍ମକର୍ତା ସର୍ବଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର, ବିନାୟକ ଦାସ ମହାପାତ୍ର, ଅନନ୍ତ ଚରଣ ତିଆଡି ଓ ମାଧବ ଚନ୍ଦ୍ର ପୂଜାପଣ୍ଡା କହିଛନ୍ତି  । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ଓ ଲିଗ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ବିଭିନ୍ନ ନିଯୋଗର କର୍ମକର୍ତା ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *