ହିନ୍ଦୋଳ,୧୪/୦୨/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ଉପଖଣ୍ଡ ସ୍ଥିତ ମିନି ଷ୍ଟାଡିୟମ ରେ ହିନ୍ଦୋଳ ସବଡ଼ିଭିଜନର ୮ ଟି ସରକାରୀ ବିଭାଗୀୟ ଦଳକୁ ନେଇ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ହିନ୍ଦୋଳ ଜୁଡ଼ିସିଆଲ ଇଲେଭେନ, ପ୍ରତିଦ୍ବନ୍ଦୀ ହିନ୍ଦୋଳ ହେଲଥ ଡିପାର୍ଟମେଣ୍ଟ କୁ ହରାଇ ତାର ବିଜୟ ଅଭିଯାନ ଜାରି ରଖିଛି । ଆଜି ସକାଳେ ହିନ୍ଦୋଳ ଜୁଡ଼ିସିଆଲ ଇଲେଭେନର ଅଧିନାୟକ ପ୍ରକାଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।
ମାତ୍ର ହେଲଥ ଡିପାର୍ଟମେଣ୍ଟର ମାପଚୁପ ବୋଲିଂ ଆଗରେ ଜୁଡ଼ିସିଆଲ ଇଲେଭେନର ଆଗଧାଡିର ବ୍ୟାଟ୍ସମ୍ୟାନ ହାତଖୋଲା ସଟ ମାରିପାରିନଥିଲେ । ଏପରିକି ପ୍ରଥମ ଚାରି ଓଭର ଭିତରେ ଅଧିନାୟକ ପ୍ରକାଶ ଙ୍କ ସହିତ ଷ୍ଟାର ବ୍ୟାଟ୍ସମ୍ୟାନ ବିଶ୍ୱଜିତ କୁମାର ଏବଂ ଗୋବିନ୍ଦ ଆଉଟ ହେଇଜିବାରୁ ଦଳର ରନରେଟରେ ଅଙ୍କୁଶ ଲାଗିଥିଲା । ଲାଗୁଥିଲା ଯେମିତି ହିନ୍ଦୋଳ ଜୁଡ଼ିସିଆଲ ଇଲେଭେନ ପଚାଶ ରନ ଭିତରେ ସୀମିତି ରହିଯିବ । ଏହି ସମୟରେ ଜୁଡ଼ିସିଆଲ ଇଲେଭେନର ବ୍ୟାଟ୍ସମ୍ୟାନ ଆକର୍ଷଣ ବେହେରା ଦଳର ସଙ୍କଟ ମୋଚକ ଭାବରେ କ୍ରିଜକୁ ଆସି ପଡିଆର ଚତୁର୍ଦିଗକୁ ଆକର୍ଷଣୀୟ ସଟ ମାନ ମାରି ଦଳ କୁ ବିପଦ ରୁ ଉଦ୍ଧାର କରିଥିଲେ ।
ଆକର୍ଷଣ ଏପରି ଧୂଆଁଧାର ବ୍ୟାଟିଂ କରିଥିଲେ ଯେ ବିପକ୍ଷ ଦଳର କୌଣସି ବୋଲରଙ୍କୁ ତ୍ରାହି ଦେଇନଥିଲେ । ଆକର୍ଷଣ ଏକାକୀ ଦଳର ମଙ୍ଗ ସମ୍ଭାଳି ଶେଷ ପର୍ଯ୍ୟନ୍ତ ଅପରାଜିତ ଦଳକୁ ଏକ ବିଶାଳ ସ୍କୋର ଭେଟି ଦେଇଥିଲେ । ଆକର୍ଷଣ ବେହେରା ମାତ୍ର ୩୨ ଟି ବଲର ସାମ୍ନା କରି ଚାରୋଟି ଚୌକା ଏବଂ ସାତଟି ବିଶାଳ ଛକା ମାଧ୍ୟମରେ ଅପରାଜିତ ୬୬ ରନ କରିଥିଲେ । ଜୁଡ଼ିସିଆଲ ଇଲେଭେନ ନିର୍ଧାରିତ ୧୦ ଓଭର ରେ ବିଶାଳ ୧୨୬ ରନ କରିଥିଲା । ପ୍ରତ୍ୟୁତରରେ ହିନ୍ଦୋଳ ହେଲଥ ଡିପାର୍ଟମେଣ୍ଟ ପ୍ରାରମ୍ଭରୁ ଷ୍ଟାର ବ୍ୟାଟ୍ସମ୍ୟାନ ତାପସ ଙ୍କୁ ହରାଇ ବିଜୟ ଲକ୍ଷ୍ୟର ବହୁତ ଦୂରରେ ରହିଯାଇଥିଲା । ହେଲଥ ଡିପାର୍ଟମେଣ୍ଟ ନିର୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୯୨ ରନ କରି ୩୪ ରନ ରେ ପରାଜୟ ବରଣ କରିଥିଲା । ଜୁଡ଼ିସିଆଲ ଇଲେଭେନ ର ଆକର୍ଷଣ ବେହେରାଙ୍କୁ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବରେ ଘୋଷଣା କରାଯାଇଥିଲା ।