କେନ୍ଦ୍ରାପଡା, ୧୨/୦୨/୨୦୨୫(ଓଡ଼ିଶା ସମାଚାର)- ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ଦାବିରେ ଏକ ନିଆରା ଶୈ÷ଳୀରେ ଧାରଣାସ୍ଥଳରେ ଦୀପ ଜଳାଇ ଗାଁସାଥୀ (ମେଟ୍)ସଂଘର ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇ ଥିଲା । ଗାଁସାଥୀ(ମେଟ୍)ସଂଘର ମିଳିତ କ୍ରୀୟାନୁଷ୍ଠାନ କମିଟି ଓଡିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଆହ୍ୱାନକ୍ରମେ କେନ୍ଦ୍ରାପଡା ଜିଲାର ଶହ ଶହ ଗାଁସାଥୀ(ମେଟ୍) ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଆରା ଧାରାରେ ଆନ୍ଦୋଳନ କରିଥିଲେ ।
ସଂଘର ଜିଲା ସଭାପତି ଅନିଲ କୁମାର ଜେନା ଓ ସମ୍ପାଦକ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଜିଲାର ସମସ୍ତ ଗାଁସାଥୀ(ମେଟ୍) ମାନେ ଆବଶ୍ୟକ ବୟସ କୋହଳ, +୨ରୁ ଉଦ୍ଧ୍ୱର୍ ଶିକ୍ଷାଗତ ଯୋଗ୍ୟତା ଥିବା ଗାଁସାଥୀମାନଙ୍କୁ ସ୍ଥାୟୀ ନିଯୁକ୍ତି, +୨ରୁ ନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ଗାଁସାଥୀମାନଙ୍କୁ ମାସିକ ୧୨ହଜାରରୁ ଉଦ୍ଧ୍ୱର୍ ପ୍ରୋତ୍ସାହନରାଶି ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୧ଜଣ ଅଧିକାରୀ ଓ ସାମ୍ବିଧାନିକ ମୁଖ୍ୟମାନଙ୍କୁ ବୁଧବାର ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲାର ବିଭିନ୍ନ ବ୍ଲକରେ ଥିବା ସମସ୍ତ ଗ୍ରାମପଂଚାୟତ ଗୁଡିକରୁ ଆସିଥିବା ଏକ ହଜାରରୁ ଉଦ୍ଧ୍ୱର୍ ଗାଁସାଥୀ(ମେଟ୍)ମାନେ ଗଣଧାରଣାରେ ୫ଘଂଟାରୁ ଉଦ୍ଧ୍ୱର୍ ସମୟଧରି ରହି ସେମାନଙ୍କ ଦାବି ଜଣାଇଥିଲେ ।
ସେମାନଙ୍କ ଦାବି ଗୁଡିକ ମଧ୍ୟରେ ବେଆଇନ ଭାବେ ନିଯୁକ୍ତ ମେଟ୍ ମାନଙ୍କୁ ହଟାଇ ଦିଆଯିବା, ବେଆଇନ ଏନ.ଏମ.ଏମ.ଏସ. ରଦ୍ଧ, ଲାଇନ ଡିପାର୍ଟମେଂଟର ମନରେଗା ପ୍ରକଳ୍ପ କାର୍ଯ୍ୟରେ ଆଇନଗତ ଭାବରେ ନିଯୁକ୍ତ ଗାଁସାଥୀମାନଙ୍କୁ ନିଯୁକ୍ତ ଓ ପ୍ରାପ୍ୟ ପ୍ରଦାନ ପ୍ରଭୃତି ଦାବି ଗୁଡିକ ଥିଲା । ଏଥିସହିତ ବର୍ତମାନର ମୁଖ୍ୟମନ୍ତ୍ରୀ ପୂର୍ବ ସରକାର ସମୟରେ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ବେଳେ ବିଧାନସଭାରେ ଓ ବାହାରେ ଗାଁସାଥୀଙ୍କ ମାସିକ ପ୍ରୋତ୍ସାହନ ରାଶି ୧୦ହଜାରରୁ ଅଧିକ ପ୍ରଦାନ କରାଯିବାକୁ ଦୃଢ ଦାବି ଉପସ୍ଥାପନ କରିଥିଲେ ।
ସେହିପରି ଗାଁସାଥୀମାନଙ୍କ ପ୍ରସଙ୍ଗ ବିଜେପିର ନିର୍ବାଚନୀ ଇସ୍ତାହାରରେ ରହିଥିବା ବେଳେ ୨୦୧୬ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଁସାଥୀଙ୍କ ପ୍ରୋତ୍ସାହନ ରାଶି ସମ୍ପର୍କିତ ପତ୍ର ଏବଂ ଏମ.ଓ.ଆର.ଡି. ପକ୍ଷରୁ ଗାଁସାଥୀଙ୍କ ପ୍ରୋତ୍ସାହନ ରାଶି ସମ୍ପର୍କିତ ରାଜ୍ୟ ସରକାରଙ୍କୁ ପତ୍ର ପ୍ରଭୃତିକୁ ଦୃଷ୍ଟିରେ ରଖାଯାଇ ଗାଁସାଥୀ(ମେଟ୍)ମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।
ସରକାର ଦେଇଥିବା ତାଙ୍କ ପ୍ରତିଶୃତି ରକ୍ଷା ସଂଘର ଦାବି ପୁରଣ ନକଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିସହିତ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯିବା ବେଳେ ବ୍ଲକ ସ୍ତରରେ ଗାଁସାଥୀ(ମେଟ୍)ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ, ପରିଚୟ ପତ୍ର ପ୍ରଦାନ, ବକେୟା ରାଶି ପ୍ରଦାନ କରାଯିବ ବୋଲି ଜିଲାପାଳ ସଂଘକୁ ପ୍ରତିଶୃତି ଦେଇଥିଲେ ।
ଏଥିସହିତ ବେଆଇନ ଭାବେ ନିଯୁକ୍ତ ମେଟ୍ ମାନଙ୍କୁ ହଟାଯିବା ସହ ‘ମୋ ବଗିଚା’ ନାମରେ ହୋଇଥିବା ଘୋଟାଲାର ଖୁବଶୀଘ୍ର ତଦନ୍ତ କରାଯିବ ବୋଲି ଜିଲାପାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର କେନ୍ଦ୍ରାପଡା ବ୍ଲକ ସଭାପତି ପ୍ରଶାନ୍ତ କୁମାର ଦାସ ଓ ସମ୍ପାଦକ ବରଦାକାନ୍ତ ପାତ୍ର, ଡେରାବିଶ ସଭାପତି ଉପେନ୍ଦ୍ର ସାହୁ, ଗରଦପୁର ସଭାପତି ପ୍ରମୋଦ କୁମାର ନାୟକ ଓ ସମ୍ପାଦକ ବବିନା ପରିଡା, ମାର୍ଶାଘାଇ ବ୍ଲକର ପ୍ରତାପ ପରିଡା ଓ ପ୍ରତାପ ପଢିଆରୀ, ରାଜକନିକା ବ୍ଲକର ପରମେଶ୍ୱର ବେହେରା ଓ ଜ୍ୟୋସ୍ନାରାଣୀ ବେହେରା, ମହାକାଳପଡା ବ୍ଲକର ନଳିନୀକାନ୍ତ ଖୁଂଟିଆ, ଆଳି ବ୍ଲକର ଶରତ ଚନ୍ଦ୍ର ବେହେରା ଓ ଜୀତେନ୍ଦ୍ର ପୃଷ୍ଟି, ରାଜନଗର ବ୍ଲକର ଟୁଲୁ ନାନା, ପ୍ରମୋଦ ରାଉତ, ପ୍ରଦୀପ ରାଉତ, ସୁରେଶ ସାମଲ, ଶାନ୍ତିଲତା ବେହେରା ପ୍ରମୁଖ ସାମିଲ ଥିଲେ । ଗାଁସାଥୀମାନେ ପ୍ରଥମେ ଗରାପୁରସ୍ଥିତ ଗୋପାଳଜୀଉ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ଗଣଧାରଣା ଆରମ୍ଭ ହୋଇଥିଲା ।