ଆଇଆଇଟି ଭୁବନେଶ୍ୱରର ୧୭ତମ ପ୍ରତିଷ୍ଠା ଦିବସ ପାଳିତ

ବର୍ତମାନ ଭାରତର ଯୁବବର୍ଗ କେବଳ କ୍ୟାରିୟର ଗଢ଼ୁ ନାହାନ୍ତି ବରଂ ଦେଶ ଗଢ଼ୁଛନ୍ତି – ରାଜ୍ୟପାଳ
ଭୁବନେଶ୍ୱର,୧୨/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବର୍ତମାନ ସମୟରେ ଭାରତର ଯୁବବର୍ଗ କେବଳ ନିଜର କ୍ୟାରିୟର ଗଢ଼ୁନାହାନ୍ତି, ବରଂ ଦେଶ ଗଢ଼ୁଛନ୍ତି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଆଜି ଅରଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱରର ୧୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଛାତ୍ରଛାତ୍ରୀ-ତଥା-ଫାକଲ୍ଟିମାନଙ୍କୁ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଦ୍ରୁତ ପରିବର୍ତନଶୀଳ ବିଶ୍ୱରେ ଭାରତର ଯୁବକମାନେ ପରିବର୍ତନର ଅଗ୍ରଭାଗରେ ରହିଛନ୍ତି ଏବଂ ନବସୃଜନ ଓ ଷ୍ଟାଟ୍ଅପ୍ ଇକୋସିଷ୍ଟମ, ୟୁନିକର୍ଣ୍ଣ ସୃଷ୍ଟି ଏବଂ ଲକ୍ଷ ଲକ୍ଷ ନୂଆ ସୁଯୋଗ ସୃଷ୍ଟି କ୍ଷେତ୍ରରେ ଭାରତ ବିଶ୍ୱର ୩ଟି ଶ୍ରେଷ୍ଠ ଦେଶ ମଧ୍ୟରେ ପରିଗଣିତ ହେଉଛି । ସଂପ୍ରତି ଭାରତର ଯୁବ ବର୍ଗ ଚାକିରି ନଖୋଜି ଚାକିରିଦାତା ହେଉଛନ୍ତି ।

ଯୁବକମାନଙ୍କ ଉପରେ ଦେଶର ପ୍ରଗାଢ ଆସ୍ଥା ରହିଛି ଏବଂ ଆଇଆଇଟିଆନ ମାନେ ଦୃଢ ବିଶ୍ୱାସ, ସାହସ ଓ ସମ୍ବେଦନଶୀଳତାର ସହ ଦେଶ ଗଠନରେ ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଥିଲେ । ଏତଦ୍ ବ୍ୟତୀତ ଆଇଆଇଟିଆନ୍ ମାନେ ବାସ୍ତବବାଦୀ ଆଶା ଆକାଂକ୍ଷା ଓ ଚିନ୍ତାଧାରା ସହିତ ଆଗକୁ ବଢ଼ିବା, ଲୋକମାନଙ୍କର ଅସ୍ଥାକୁ ସମ୍ମାନ ଜଣାଇବା, ନବସୃଜନ ଚିନ୍ତାଧାରା ସଂପନ୍ନ ହେବା ଏବଂ ଜ୍ଞାନ ସୃଷ୍ଟି କରି ତା’ର ସକରାତ୍ମକ ରୂପାନ୍ତରଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ୨୦୦୮ ମସିହାରେ ପ୍ରତିଷ୍ଠିତ ହେବା ପରଠାରୁ ଭୁବନେଶ୍ୱର ଆଇଆଇଟିର ଉଲ୍ଲେଖନୀୟ ଅଗ୍ରଗତିକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଏହାକୁ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ରାଜ୍ୟପାଳ ଛାତ୍ରଛାତ୍ରୀ, ଫାକଲ୍ଟି ଓ କର୍ମଚାରୀମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ପ୍ରାରମ୍ଭରେ ଭୁବନେଶ୍ୱର ଆଇଆଇଟିର ନିର୍ଦେଶକ ଶ୍ରୀପଦ କରମଲକର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କ୍ୟାମ୍ପସର ପ୍ରତିଷ୍ଠା ଓ ଅଗ୍ରଗତି, ଶିକ୍ଷାଦାନ, ଗବେଷଣା, ଶିଳ୍ପ ଶିକ୍ଷା, ଉଦ୍ୟୋଗ ବିକାଶ ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ । ଡିନ୍ ପ୍ରଫେସର ରାଜେଶ୍ ରୋଶନ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରେ ରାଜ୍ୟପାଳ ଆଇଆଇଟି ଭୁବନେଶ୍ୱରର କ୍ୟାମ୍ପସ୍ ପରିଦର୍ଶନ କରିଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *