ଟିଟିଲାଗଡରେ ଶିରିଡ଼ି ସାଇବାବାଙ୍କ ମନ୍ଦିର ଓ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ପ୍ରତିଷ୍ଠା

ଛୋଟ ପିଲାଙ୍କୁ ଶିକ୍ଷା, ସଂସ୍କାର ଓ  ସଂସ୍କୃତିରେ ସମୃଦ୍ଧ ସମ୍ପନ୍ନ କରିବା ପାଇଁ ମନ୍ଦିରର ବିଶେଷ ଭୂମିକା ରହିଛି : ଗୁରୁଜୀ

ଟିଟିଲାଗଡ, ୧୦/୦୨/୨୦୨୫ (ଓଡ଼ିଶା ସମାଚାର)- ଟିଟିଲାଗଡ ସହରର କେନ୍ଦ୍ରସ୍ଥଳ ମୁଡ଼ାବନ୍ଧ ଠାରେ ଶ୍ରୀ ଶ୍ରୀ ଶିରିଡ଼ି ସାଇବାବାଙ୍କ ମନ୍ଦିର ଏବଂ ଶ୍ରୀଗୁରୁ ଭାଗବତ ଟୁଙ୍ଗୀର ପ୍ରତିଷ୍ଠା ଉତ୍ସବ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଆଜି ମହା ସମାରୋହ ସହକାରେ ସମ୍ପନ୍ନ ହୋଇଯାଇଛି ।

ଗୁରୁଜୀ ଡକ୍ଟର ଶତପଥୀ ସକାଳେ ଉତ୍ କେଲା ବିମାନ ପଡ଼ିଆରେ ଓହ୍ଲାଇ ସେଠାରୁ ସିଧା ଟିଟିଲାଗଡ ଅଭିମୁଖେ ଯାତ୍ରା କରି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ଗୁରୁଜୀଙ୍କ ଆଗମନ ତଥା ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଶହ ଶହ ଲୋକ ସହର ଓ ସହର ବାହାରୁ ସମାଗମ ହୋଇଥିଲେ । ଗୁରୁଜୀଙ୍କୁ ଏକ ବିରାଟ ପଟୁଆରରେ ପାଛୋଟି ନିଆଯାଇଥିଲା । ଗୁରୁଜୀ ପ୍ରଥମେ ଯଜ୍ଞ ଶାଳାକୁ ଯାଇ ଆହୂତି ଦେବା ପରେ ମନ୍ଦିର ଫଳକକୁ ଉଦଘାଟନ କରିଥିଲେ । ଏହାପରେ ନବ ନିର୍ମିତ ଶ୍ରୀଗୁରୁ ଭାଗବତ ଟୁଙ୍ଗୀକୁ ଫିତା କାଟି ଗୁରୁଜୀ ଉଦଘାଟନ କରିଥିଲେ ।

ଏହାପରେ ମନ୍ଦିରରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ରୀତି ନୀତି ସହକାରେ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଗୁରୁଜୀ ସମବେତ ଭକ୍ତଙ୍କୁ ଉଦ୍ ବୋଧନ ଦେଇ ମନ୍ଦିରର ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଆଧ୍ୟାତ୍ମିକ ଓ ଦାତବ୍ୟ କାର୍ଯ୍ୟକ୍ରମ, ଉତ୍ସବ ଆଦି ପାଳନ ଏବଂ ବାବାଙ୍କ ଶିକ୍ଷା ବିଷୟରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

ଛୋଟ ପିଲା ତଥା ନୂତନ ପିଢ଼ିକୁ ଶିକ୍ଷା, ସଂସ୍କାର ଓ ସଂସ୍କୃତିରେ ସମୃଦ୍ଧ ସମ୍ପନ୍ନ କରିବା ପାଇଁ ମନ୍ଦିରର ବିଶେଷ ଭୂମିକା ରହିଛି ବୋଲି ଗୁରୁଜୀ କହିଥିଲେ । ଶ୍ରୀଗୁରୁ ଭାଗବତ ଗ୍ରନ୍ଥ ଏହି ଦିଗରେ ପିଲା ମାନଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ ବୋଲି ଗୁରୁଜୀ କହିଥିଲେ । ଶ୍ରୀଗୁରୁ ଭାଗବତ ଦେଶର ୨୦ଟି ଭାଷା ଓ ଉପଭାଷାରେ ପ୍ରକାଶ ପାଇ ସାରିଥିବା ବେଳେ ସମ୍ବଲପୁରୀ ଭାଷାରେ ମଧ୍ୟ ପ୍ରକାଶ ପାଇ ପଶ୍ଚିମ ଓଡ଼ିଶାରେ ବିପୁଳ ଆଦୃତ ହୋଇଛି ଓ ବହୁ ସ୍ଥାନରେ ଟୁଙ୍ଗୀ ମାନ ଖୋଲା ଯାଇ ଏହାର ପଠନ ଓ ପାରାୟଣ କରାଯାଉଛି । ଟିଟିଲାଗଡ ଶିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ତଥା ଛତିଶଗଡ ଓ ବିହାରରୁ ବହୁ ଭକ୍ତ ଓ ଟୁଙ୍ଗୀ ସଦସ୍ୟ ଯୋଗ ଦେଇଥିଲେ । ୬ ତାରିଖରୁ ତିନିଦିନ ବ୍ୟାପୀ ଏହି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *