କଟକ, ୯/୮/୨୦୨୪ (ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟାରେ କାଠଯୋଡ଼ି ପୋଲ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁଛନ୍ତି ଦମ୍ପତି। କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ ଏହି ଅଭାବନୀୟ ଘଟଣା ଘଟିଛି। ଉଭୟ ସ୍ବାମୀ-ସ୍ତ୍ରୀ ପାଣିରେ ଭାସିଯାଇଥିବା କହୁଛନ୍ତି। ନିଖୋଜ ସ୍ବାମୀ-ସ୍ତ୍ରୀ ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା ବୋଲି କହୁଛନ୍ତି। ସୂଚନା ଅନୁସାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ପୋଲ ଉପରକୁ ଆଜି ସନ୍ଧ୍ୟାରେ ବାଙ୍କୀ ଅଞ୍ଚଳର ଦମ୍ପତି ପହଞ୍ଚି ଥିଲେ। ସେମାନେ ପୋଲ ଉପରେ ମୋବାଇଲ ଓ ଆଧାରକାର୍ଡ ରଖିଥିଲେ। ଏହା ପରେ ହଠାତ୍ ପାଣିକୁ ଡେଇଁଥିଲେ। ଉଭୟ ପାଣିକୁ ଡେଇଁବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ ମଧ୍ୟ ସେମାନେ କିଛି ଭାବିବା ପୂର୍ବରୁ ଅଘଟଣ ଘଟି ସାରିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସ୍ବାମୀ ଓ ସ୍ତ୍ରୀ ନିଖୋଜ ଅଛନ୍ତି। ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ୟ୍ୟ ସମ୍ଭବ ହୋଇପାରିନାହିଁ।