ନିରାକାରପୁର, ୨୫/୧୨/୨୦୨୩ (ଓଡ଼ିଶା ସମାଚାର)- ଗତ କାଲି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ନରଣଗଡ ପଞ୍ଚାୟତ ମାନପୁର ଛକ ନିକଟରୁ ଏକ କଟା ପାପୁଲି ପଡିଥିବାର ଲୋକେ ଦେଖି ପୋଲିସକୁ ଜଣାଇଥିଲେ । ପରେ ଘଟଣାସ୍ଥଳରେ ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ପହଞ୍ଚି ଉକ୍ତ କଟା ପାପୁଲିକୁ ଜବତ କରି ଅଧିକ ତଥ୍ୟ ସଂଗ୍ରହ କରିବାକୁ ଲାବ୍ରୋଟେରୀ କୁ ପଠାଇଥିଲେ। କେହି ହତ୍ୟା କରି କାହାକୁ ପକାଇ ଥିବାରୁ କୁକୁର ତାର କଟା ପାପୁଲି ଆଣି ପକାଇଛି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ଖୋର୍ଦ୍ଧା ରୋଡ ରେଳବାଇ ପୋଲିସ ନରଣଗଡ ନିକଟସ୍ଥ କଞ୍ଛିଲୋ ରେଳ ଧାରଣା କଡ଼ରେ ଏକ ବ୍ୟକ୍ତିର କ୍ଷତାକ୍ତ ଶବ ପଡିଥିବାର ଦେଖି ଜବତ କରିଥିଲେ। ବ୍ୟକ୍ତି ଜଣକ ଜଣେ ମାନସିକ ଭାରସାମ୍ୟ ହରାଇ ଥିବା ବ୍ୟକ୍ତି ବୋଲି ଜାଣିବା ସହିତ ସେ ରେଳ ଧାରଣ କଡ଼ରେ ବୁଲୁ ଥିବାବେଳେ କୌଣସି ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଉକ୍ତ ବ୍ୟକ୍ତିର ଏକ ପାପୁଲିକୁ କୁକୁର ନେଇ ମାନପୁର ନିକଟରେ ପକାଇଥିଲା ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ରେଳବାଇ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।