କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୨୫/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ଜିରୋନାଇଟ୍ ଓ ନୂଆବର୍ଷ ବେଶ୍ ଧୁମ୍ ଧାମ୍ ରେ ପାଳନ କରିବା ପାଇଁ ହୋଟେଲ୍, ରେଷ୍ଟୁରାଂଟ, କ୍ଲବ ଓ ସହରତଳି ଅଂଚଳରେ ମାହୋଲ୍ ଉଷ୍ଣ ହେବାରେ ଲାଗିଛି । କିନ୍ତୁ ଏହି ଉତ୍ସବ ପାଳନ ସମୟରେ କରୋନା ସତର୍କତା ନିୟମକୁ କେହି ପାଳନ କରୁନାହାଁନ୍ତି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଓଡ଼ିଶାରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଠକ କରି ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ପ୍ରଶାସନିକ ସ୍ତରରେ ସତର୍କତାମୂଳକ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଧେଶ ଦେବାକୁ ଅନୁରୋଧ କରିଛନ୍ତି । ଏହି ଚିଠିରେ ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ, ଅନାବଶ୍ୟକ ସାଂସ୍କୃତିକ ଉତ୍ସବ ପାଳନରୁ କ୍ଷାନ୍ତ ରହିବାକୁ ଜନସାଧାରଣଙ୍କୁ ସରକାରଙ୍କ ତରଫରୁ ଏକ ନିବେଦନ କରାଯାଉ । ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ନ୍ୟାୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟ ଯଥା- କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ଗୋଆ ପ୍ରଭୃତି ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀମାନଙ୍କୁ ସାମାଜିକ ଦୂରତା ଗ୍ରହଣ କରିବାକୁ ସରକାର ନିର୍ଦ୍ଧେଶ ଦିଅନ୍ତୁ । ଏୟାରପୋର୍ଟ, ରେଳ ଷ୍ଟେସନ୍ ଓ ବନ୍ଦର ମାନଙ୍କରେ ଏକ ତଦାରଖ ସ୍ୱାସ୍ଥ୍ୟ କମିଟି ଚବିଶି ଘଂଟିଆ ଯାତ୍ରୀମାନଙ୍କୁ ପରୀକ୍ଷା କରି ସାତଦିନ ହୋମ୍ ଆଇସୋଲେସନ୍ ରେ ରଖିବାକୁ ସରକାର ପଦକ୍ଷେପ ନିଅନ୍ତୁ । ସାଂସ୍କୃତିକ ଉତ୍ସବମାନଙ୍କରେ କରୋନା ନିୟମ ପାଳନ କରିବା ସହିତ ୧୦୦ ରୁ ଅଧିକ ଲୋକ ଏକାଠି ହେବାକୁ ଦିଆ ନଯାଉ । ବେଳହୁଁ ସାବଧାନ ନୀତିରେ ଅତୀତରେ ରାଜ୍ୟ ସରକାର କରୋନା ନିୟମ ପାଳନ କରିବାରେ ଯେଉଁଭଳି ଉଦାହରଣ ସୃଷ୍ଟି କରିଛନ୍ତି, ବର୍ତମାନ ସମୟରେ ମଧ୍ୟ ସେହିଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *