ବିଶ୍ୱଶାନ୍ତି ପାଇଁ ଦେବ ଦୀପାବଳୀରେ ଶ୍ରୀରାମ ମନ୍ଦିରଠାରେ ୫୦୦୦ ସାମୂହିକ ଦୀପଦାନ କରାଯିବ ଡିସେମ୍ବର ୧୩ରେ

ଭୁବନେଶ୍ୱର,୦୭/୧୨/୨୦୨୩ (ଓଡ଼ିଶା ସମାଚାର)-ପବିତ୍ର ଦେବ ଦୀପାବଳୀ ଉପଲକ୍ଷେ ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଓ ବିଶ୍ୱଶାନ୍ତି ପାଇଁ ପାଇଁ ହଜାର ଘିଅଦୀପ ପ୍ରଜ୍ଜ୍ୱଳିତ କରାଯିବ ।
ବୁଦ୍ଧ ମନ୍ଦିରଠାରେ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ବିଦ୍ୱାନ, ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆମ ସଂସ୍କୃତି ଓ ପରମ୍ପରାରେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତ କାର୍ଯ୍ୟରେ ସମ୍ପୃକ୍ତ କରାଯାଇଛି । ଦେବ ଦୀପାବଳୀ ଉତ୍ସବ ୩ ଦିନ ଧରି ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ । ମାର୍ଗଶିର ମାସ କୃଷ୍ଣ ଚତୁର୍ଦ୍ଧଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିନିଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରାଦ୍ଧ ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚତୁର୍ଦ୍ଧଶୀ ଦିନ ମା, ଅଦିତି ଓ କଶ୍ୟପଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯାଉଥିବା ବେଳେ ଅମାବାସ୍ୟା ଦିନ ଦଶରଥ, କୌଶଲ୍ୟା ଓ ଶୁକ୍ଳ, ପ୍ରତିପଦାରେ ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଓ ଇନ୍ଦ୍ରଦୁ୍ୟମ୍ନ ଗୁଣ୍ଡିଚା ମା’ଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯିବାର ପରମ୍ପରା ଚଳି ଆସୁଛି । ସେହି ପବିତ୍ର କାର୍ଯ୍ୟକ୍ରମକୁ ସ୍ମରଣ କରି ଗତ ୬ ବର୍ଷ ହେବ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ପାଇଁ ତଥା ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଦୀପ ଦାନ କରାଯାଉଅଛି । ଚଳିତବର୍ଷ ଏହି କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଆସନ୍ତା ଡିସେମ୍ବର ୧୩ ତାରିଖ ବୁଧବାର ସନ୍ଧ୍ୟା ୬ ଘଟିକା ସମୟରେ ୟୁନିଟ୍-୩ ଶ୍ରୀରାମ ମନ୍ଦିର ପରିସରରେ ୫୦୦୦ ଘୃତ ଦୀପ ପ୍ରଜ୍ଜ୍ୱଳିତ କରାଯିବ ।
ଅନୁଷ୍ଠାନର ଅଧ୍ୟକ୍ଷ ବାସ୍ତୁବିତ ଡଃ ମନୋଜ ଲେଙ୍କା କହିଲେ ଯେ, ଏହି ଦିନ ପରିବାରର ମଙ୍ଗଳ ପାଇଁ ପ୍ରତ୍ୟେକ ଗୃହସ୍ଥ ନିଜର ପିତାମାତାଙ୍କ ଉଦ୍ଧେଶ୍ୟରେ ମଧ୍ୟ ଘୃତ ଦୀପଟିଏ ଜାଳିଲେ ମାନସିକ ଶାନ୍ତି ପାଇବା ସହ ପରିବାରର ମଙ୍ଗଳ ହେବ । ପ୍ରୟାସର ସଭାପତି ଆଡ଼ଭୋକେଟ ବନ ମହାନ୍ତି ଏହି ମହତ୍ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେଇ ପୂଣ୍ୟ ଅର୍ଜନ କରିବାକୁ ନିବେଦନ କରିଥିଲେ । ଡଃ ଜ୍ଞାନେନ୍ଦ୍ର ଆହୁରି କହିଲେ ଯେ, କହିଲେ ଯେ, ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥଙ୍କ ସହ ବିଦ୍ୱାନ, ପଣ୍ଡିତ ଓ ଯୁବଛାତ୍ରମାନେ ଯୋଗ ଦେବେ, ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *