Odisha News : ପାରାଦ୍ଵୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ

 ଯୁବସମାଜ ସଠିକ୍ ଶିକ୍ଷା କୌଶଳ ଏବଂ ବୈଷୟିକ ଜ୍ଞାନ ସହିତ ସଜ୍ଜିତ ହେଲେ ବିକଶିତ ଓଡ଼ିଶା ଏବଂ  ବିକଶିତ ଭାରତର ପରିକଳ୍ପନା  ସାକାର ହେବ – ରାଜ୍ୟପାଳ

ଭୁବନେଶ୍ୱର,୦୭/୦୨/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଆଜି ପୂର୍ବାହ୍ନ ରେ ପାରାଦ୍ବୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ଡଃ ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଉଦବୋଧନ ଦେଇ କହିଲେ ଯେ,ଶିକ୍ଷା ହେଉଛି ସେହି ମୂଳଦୁଆ ଯାହା ଉପରେ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ରର ନିର୍ମାଣ ହୋଇଥାଏ। କୌଣସି ରାଷ୍ଟ୍ରର ସଫଳତା ତା’ର ଯୁବଶକ୍ତିର ସଶକ୍ତିକରଣ ଉପରେ ନିର୍ଭର କରେ।ସେଥିପାଇଁ ଯୁବସମାଜ ସଠିକ୍ ଶିକ୍ଷା କୌଶଳ ଏବଂ ବୈଷୟିକ ଜ୍ଞାନ ସହିତ ସଜ୍ଜିତ ହେଲେ ବିକଶିତ ଓଡ଼ିଶା ଏବଂ  ବିକଶିତ ଭାରତର ପରିକଳ୍ପନା  ସାକାର ହେବ। ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ କେବଳ ପାଞ୍ଚ ଦଶନ୍ଧିର ରୋମାଞ୍ଚକର ଯାତ୍ରା ନୁହେଁ ବରଂ ହଜାର ହଜାର ଯୁବ ପ୍ରତିଭା ର ପରିବର୍ତ୍ତନ ମଧ୍ୟ, ଯେଉଁମାନେ ନିଜର ଉଚ୍ଚ ଅଭିଳାଷ ସହିତ ଏହି ଫାଟକ ଦେଇ ଚାଲିଛନ୍ତି ଏବଂ ଜଣେ ଜଣେ ଦାୟିତ୍ୱବାନ ନାଗରିକ, ବିଦ୍ୱାନ ଏବଂ ପ୍ରଫେସନାଲ ଭାବରେ ନିଜକୁ ପ୍ରତିପାଦିତ କରିଛନ୍ତି। ଭାରତର ବିପୁଳ ଯୁବଶକ୍ତି  ନବସୃଜନ, ଗବେଷଣା ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ବିଶ୍ୱ କୁ ନେତୃତ୍ୱ ନେବାର ସାମର୍ଥ୍ୟ ରଖିଛି। ଏହି ପରିପ୍ରେକ୍ଷିରେ ପାରାଦ୍ଵୀପ ମହାବିଦ୍ୟାଳୟ କେବଳ ଏକାଡେମିକ୍ ଉତ୍କର୍ଷତା କ୍ଷେତ୍ରରେ  ନୁହେଁ ବରଂ ଶିଳ୍ପ ସମ୍ବନ୍ଧୀୟ ଦକ୍ଷତା ଏବଂ ସାମାଜିକ ଦାୟିତ୍ୱର ଦୃଢ ଭାବନା ସହିତ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପ୍ରସ୍ତୁତ କରି ଏହି ମିଶନରେ ସକ୍ରିୟ ଭାବରେ ଯୋଗଦାନ କରିଆସୁଛି ବୋଲି ରାଜ୍ୟପାଳ କହିଥିଲେ।ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ଵ ରେ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଅପରିହାର୍ଯ୍ୟ ହୋଇପଡ଼ିଛି।ଡିଜିଟାଲ ବିପ୍ଳବ ଶିକ୍ଷଣ ପଦ୍ଧତିରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି, ଯାହା ଶିକ୍ଷାକୁ ଅଧିକ ସୁଲଭ, ଭାବ ବିନିମୟ ସ୍ୱରୂପ ଏବଂ ସମାବେଶୀ କରିଛି। ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ବିକାଶ ଦ୍ୱାରା ପରିଚାଳିତ ଯୁଗରେ ଆଗକୁ ବଢ଼ିବା ପାଇଁ ଅଭିନବ ଶିକ୍ଷଣ କୌଶଳ ଗ୍ରହଣ କରିବା ପାଇଁ ରାଜ୍ୟପାଳ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସମାଜକୁ  ଆହ୍ବାନ ଜଣାଇଥିଲେ। ଜାତୀୟ ଶିକ୍ଷାନୀତି ୨୦୨୦ ଆମର ଶିକ୍ଷା ବ୍ୟବସ୍ଥାରେ   ପରମ୍ପରା ଓ ଆଧୁନିକତା ର ସମନ୍ଵୟ ରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି।ଏକ ବହୁମୁଖୀ ଆଭିମୁଖ୍ୟ, ଧନ୍ଦାମୂଳକ ତାଲିମ, ଗବେଷଣା ଏବଂ ନବସୃଜନ ଶିକ୍ଷାବ୍ୟବସ୍ଥା କୁ ଆପଣେଇଲେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍କର୍ଷ ହାସଲ କରିବାର ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ଡ଼ଃ କମ୍ଭମପାଟି କହିଥିଲେ ଯେ, ପାରାଦ୍ଵୀପ ମହାବିଦ୍ୟାଳୟ ନୂତନ ପର୍ଯ୍ୟାୟ ରେ ପହଞ୍ଚିଛି। ଛାତ୍ରଛାତ୍ରୀ ମାନେ ବଡ଼ ସ୍ବପ୍ନ ଦେଖିବା ସହ ସ୍ଵପ୍ନ କୁ ସାକାର କରିବାପାଇଁ କଠୋର ଅଧ୍ୟବସାୟ ଜାରି ରଖି ଦେଶ ନିର୍ମାଣ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ସେ ଆହ୍ଵାନ ଜଣାଇଥିଲେ।

ଏହି ସମାରୋହ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଉଚ୍ଚ ଶିକ୍ଷା , କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍ , ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା   ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ  , ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ,ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷ ର ଅଧ୍ୟକ୍ଷ ଶ୍ରୀ ପି ଏଲ ହରନାଧ, ମାନ୍ୟବର ବିଧାୟକ, ବାସୁଦେବପୁର, ଶ୍ରୀ ଅଶୋକ କୁମାର ଦାସ ଉପସ୍ଥିତ ରହି ଯୁବ ପ୍ରତିଭା ଙ୍କ ବିକାଶ ରେ ଜିଲ୍ଲା ତଥା ରାଜ୍ୟ ର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ବୋଲି କହିବା ସହ ଯୁବସମାଜ ପାଇଁ ଶିକ୍ଷା ର ଗୁରୁତ୍ବ ପ୍ରତିପାଦିତ କରିଥିଲେ।

ସଭାରେ ଅନ୍ୟ ମାନଙ୍କ ମଧ୍ୟରେ   ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।ପାରାଦ୍ଵୀପ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ଶତପଥୀ ସ୍ବାଗତ ଭାଷଣ ଦେଇଥିବା ବେଳେ ପାରାଦ୍ଵୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ  ଧନ୍ୟବାଦ ଅର୍ପଣ କରିଥିଲେ।

-0-

 ସଂଜୀବ ବାରିକ,ରାଜ୍ୟପାଳ ଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *