ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବା ଏନ୍‌.ସି.ସି କ୍ୟାଡେଟ୍‌ମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

                                      ଏନ୍‌.ସି.ସି. କ୍ୟାଡେଟ୍‌ମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୯/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବା ଓଡିଶାର ଏନ୍‌.ସି.ସି କ୍ୟାଡେଟ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନସ୍ଥିତ ସରକାରୀ ପ୍ରକୋଷ୍ଠରେ ଆୟୋଜିତ ଏକ ସଂକ୍ଷିପ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ-୨୦୨୪ରେ ଅଂଶଗ୍ରହଣ କରିଥିବା ଓଡିଶାର ତିନିଜଣ ଏନ୍‌.ସି.ସି. କ୍ୟାଡେଟ୍‌ମାନଙ୍କ ପ୍ରଦର୍ଶନକୁ ଅତୀବ ପ୍ରଶଂସନୀୟ ବୋଲି ଅଭିହିତ କରିଥିଲେ । ତିନିଜଣ ଏନ୍‌.ସି.ସି. କ୍ୟାଡେଟ୍‌ମାନେ ଅନ୍ୟ କ୍ୟାଡେଟ୍‌ମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ ମତପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏସ୍‌.ୟୁ.ଓ ସାହିଲ କୁମାର ସ୍ୱାଇଁ, ଜେୟୁଓ ଆର୍ଯ୍ୟନନ୍ଦିନୀ ବେହେରା ଓ କ୍ୟାଡେଟ୍‌ ସୂର୍ଯ୍ୟଶଙ୍କର ରାୟ ଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ- ୨୦୨୪ରେ ଅଂଶଗ୍ରହଣ କରି ବ୍ୟକ୍ତିଗତ ଉତ୍କର୍ଷ ହାସଲ କରି ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ତିନିଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।

କଟକସ୍ଥିତ ଏନ୍‌.ସି.ସି. ଗ୍ରୁପ୍‌ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ଓ ଆର୍‌ ଆଣ୍ଡ ଭି ୱାନ ଓଡ଼ିଶା ସ୍କ୍ୱାର୍ଡନର କମାଣ୍ଡିଙ୍ଗ୍‌ ଅଫିସର କର୍ଣ୍ଣେଲ ପି. ଦୀନଦୟାଲନ୍‌ଙ୍କ ମାର୍ଗଦର୍ଶନରେ ସେମାନେ ଏହି ପଦକଗୁଡ଼ିକ ଜିତିବାରେ ସକ୍ଷମ ହୋଇଥିଲେ ।

          ୨୫ ଡିସେମ୍ବର ୨୦୨୩ରୁ ୩୧ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଓଡ଼ିଶାର କଣ୍ଟିଜେଣ୍ଟ ଚମତ୍କାର ଦକ୍ଷତା ପ୍ରଦର୍ଶନ କରି ଏହି ପଦକଗୁଡ଼ିକ ହାସଲ କରିଥିଲା ଓ ଅଶ୍ୱାରୋହୀ ପ୍ରତିଯୋଗିତାରେ ଅତୁଳନୀୟ ପ୍ରଦର୍ଶନ କରିଥିଲା ।

କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱ।ଲ ଓ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଭବାନୀ ଶଂକର ଚୟିନୀ ଉପସ୍ଥିତ ରହି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସୁଯୋଗ୍ୟ କ୍ୟାଡେଟ୍‌ମାନେ ରାଜ୍ୟର ଗର୍ବ ବୋଲି ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *